Latest Odisha News

BREAKING NEWS

ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା

ଗୌହାଟି: ଐତିହାସିକ ବିଜୟ ପରେ ହିମନ୍ତ ବିଶ୍ୱ ଶର୍ମା ଦ୍ୱିତୀୟ କ୍ରମାଗତ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମଙ୍ଗଳବାର ଗୈାହୀଟିର ଖାନାପାରା ସ୍ଥିତ ପଶୁ ଚିକିତ୍ସା ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ତାଙ୍କୁ ଶପଥ ପାଠ କରାଇଥିଲେ।

 

ହିମନ୍ତ ବିଶ୍ୱ ଶର୍ମା ଆସାମର ପ୍ରଥମ ଅଣ-କଂଗ୍ରେସ ନେତା ଭାବେ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ହିମନ୍ତଙ୍କ ସହ ଆଉ ୪ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ସେମାନେ ହେଲେ ବିଜେପିର ଅଜନ୍ତା ନେଓଗ ଓ ରାମେଶ୍ୱର ତେଲି, ଏଜିପି (ଆସାମ ଗଣ ପରିଷଦ) ର ଅତୁଲ ବୋରା ଏବଂ ବିପିଏଫର ଚରଣ ବୋରୋ।

 

ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ନିକଟରେ ଶେଷ ହୋଇଥିବା ଆସାମ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ (NDA) ବିପୁଳ ବିଜୟ ହାସଲ କରିଛି। ୧୨୬ ବିଧାନସଭା ଆସନରୁ ଏନଡିଏ ୧୦୨ (ବିଜେପି – ୮୨, ଏଜିପି – ୧୦, ବିପିଏଫ – ୧୦), କଂଗ୍ରେସ ମେଣ୍ଟ ୧୯ଟି ଆସନ ଜିତିଛି । ହିମନ୍ତ ବିଶ୍ୱ ଶର୍ମା ନିଜର ପାରମ୍ପରିକ ଆସନ ଜାଲୁକବାରୀରୁ ୮୯ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

 

ଏହି ବିଜୟ ଆସାମରେ ବିଜେପିର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଶପଥ ଗ୍ରହଣ ପରେ ହିମନ୍ତ ଶର୍ମା କହିଛନ୍ତି ଯେ, ଆଗାମୀ ୫ ବର୍ଷରେ ତାଙ୍କ ସରକାର ଆସାମର ସର୍ବାଙ୍ଗୀନ ବିକାଶ ଓ ଜନକଲ୍ୟାଣ ଉପରେ ଗୁରୁତ୍ୱ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବ୍‌କା ସାଥ୍, ସବ୍‌କା ବିକାଶ’ ନୀତିରେ ରାଜ୍ୟ ଆଗକୁ ବଢ଼ିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.