ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନ ଏବେ ନିଜେ ସନ୍ଦେହ ଘେରରେ । ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଇରାନର କିଛି ସୈନ୍ୟ ବିମାନକୁ ରାୱଲପିଣ୍ଡି ସ୍ଥିତ ‘ନୂର ଖାନ ଏୟାରବେସ୍’ରେ ରଖାଯାଇଛି । ଏଥିରେ ଇରାନ ବାୟୁସେନାର RC-130 ନିରୀକ୍ଷଣ ବିମାନ ସାମିଲ ଥିବା ନେଇ ଦାବି ହୋଇଛି ।
ଏହି ଖବର ପ୍ରସାରିତ ହେବା ପରେ ଆମେରିକାରେ ହଲଚଲ ସୃଷ୍ଟି ହୋଇଛି। ଆମେରିକୀୟ ସିନେଟର ଲିଣ୍ଡସେ ଗ୍ରାହାମ କହିଛନ୍ତି ଯେ, ଯଦି ଏହି ଅଭିଯୋଗ ସତ ହୁଏ, ତେବେ ପାକିସ୍ତାନକୁ ମଧ୍ୟସ୍ଥ ମାନିବା ନୀତି ଉପରେ ଆମେରିକାକୁ ପୁଣି ଥରେ ବିଚାର କରିବାକୁ ପଡ଼ିବ। ବିଶେଷଜ୍ଞଙ୍କ ମତରେ, ଆମେରିକାର ଆକ୍ରମଣ ଭୟରେ ଇରାନ ନିଜର ସୈନ୍ୟ ବାହିନୀକୁ ପାକିସ୍ତାନରେ ଲୁଚାଇ ରଖିବାକୁ ଚେଷ୍ଟା କରୁଛି।
ତେବେ ପାକିସ୍ତାନ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛି ଯେ, ନୂର ଖାନ ଏୟାରବେସରେ କୌଣସି ବିଦେଶୀ ବିମାନକୁ ଗୁପ୍ତରେ ରଖିବା ସମ୍ଭବ ନୁହେଁ। ଆମେରିକା ସହ ସମ୍ପର୍କ ରଖି ଇରାନ ଓ ଚୀନ ସହ ବନ୍ଧୁତା ବଢ଼ାଇବା ପାକିସ୍ତାନର ‘ଡବଲ ଗେମ୍’ ଉପରେ ଏବେ ସାରା ବିଶ୍ୱରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହି ଦାବିର ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ପାକିସ୍ତାନ ଏବଂ ଆମେରିକା ସମ୍ପର୍କରେ ତିକ୍ତତା ସୃଷ୍ଟି କରିଛି। ଯଦି ଅଭିଯୋଗ ସତ ହୁଏ, ଆମେରିକା ଧୋକାବାଜ ପାକିସ୍ତାନକୁ ପାନେ ଦେବ ବୋଲି ଚର୍ଚ୍ଚା ହେଉଛି ।