ଭୁବନେଶ୍ୱର: ଯୁଦ୍ଧ ଏବଂ ବିଶ୍ୱସ୍ତରୀୟ ତୈଳ ସଙ୍କଟର ପ୍ରଭାବ ଏବେ ଓଡ଼ିଶାରେ ଗୁରୁତର ଭାବେ ଦେଖାଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକ ଶୂନ୍ୟ ହୋଇପଡ଼ୁଥିବା ବେଳେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ସ୍ଥିତିକୁ ସଜାଡ଼ିବା ପାଇଁ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ଉପରେ କଡ଼ା କଟକଣା ଲଗାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜି ଏହି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, ତେଲ ବ୍ୟବହାର କମାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇପାରନ୍ତି ।
ସରକାରୀ ବିଭାଗଗୁଡ଼ିକରେ ଗାଡ଼ି ବ୍ୟବହାର ସୀମିତ କରାଯାଇପାରେ। ଲୋକଙ୍କୁ ବ୍ୟକ୍ତିଗତ ଗାଡ଼ି ପରିବର୍ତ୍ତେ ବସ୍ କିମ୍ବା ଅନ୍ୟ ସାଧାରଣ ପରିବହନ ବ୍ୟବସ୍ଥା ଆପଣାଇବାକୁ ବାଧ୍ୟତାମୂଳକ କରାଯାଇପାରେ।
ସରକାରୀ କର୍ମଚାରୀଙ୍କ ପାଇଁ କିଛି ଦିନ ‘ଘରେ ରହି କାମ’ କରିବା କିମ୍ବା ଅଫିସ୍ ସମୟରେ ପରିବର୍ତ୍ତନ କରାଯିବାର ଯୋଜନା ରହିଛି।
ସରକାରୀ ଅଧିକାରୀଙ୍କ ଅନାବଶ୍ୟକ ଗସ୍ତ ଏବଂ ଟୁର ଉପରେ କଟକଣା ଲାଗିପାରେ।
ରାଜ୍ୟର ରାଜଧାନୀ ଭୁବନେଶ୍ୱର ସମେତ ରାଉରକେଲା, କେନ୍ଦୁଝର ଏବଂ ଗଞ୍ଜାମ ଭଳି ଜିଲ୍ଲାରେ ପେଟ୍ରୋଲ ପମ୍ପଗୁଡ଼ିକରେ “ନୋ ଷ୍ଟକ୍” ବୋର୍ଡ ଲାଗିଛି। ଯେଉଁ ପମ୍ପରେ ତେଲ ଅଛି, ସେଠାରେ Rationing ବା ସୀମିତ ପରିମାଣର ତେଲ ଦିଆଯାଉଛି।
ବାଇକ୍: ୨୦୦ ଟଙ୍କାର ତେଲ
କାର୍: ୧୦୦୦ ରୁ ୨୦୦୦ ଟଙ୍କାର ତେଲ
ଜୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ, ରାଜ୍ୟରେ ତେଲର ସେଭଳି କୌଣସି ଅଭାବ ନାହିଁ। କିନ୍ତୁ ବିଶ୍ୱ ସ୍ତରୀୟ ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆମକୁ ସଞ୍ଚୟ କରିବାକୁ ପଡ଼ିବ। ଲୋକମାନେ ଆତଙ୍କିତ ହୋଇ ଅଧିକ ତେଲ ସଂଗ୍ରହ ନକରିବାକୁ ସେ ଅନୁରୋଧ କରିଛନ୍ତି।