ନୂଆପଡ଼ା: ପିଇବା ପାଣି ପାଇଁ ସକାଳୁ ଲାଗିଛି ଲମ୍ବା ଲାଇନ । କିଏ ବାଲଟି ଧରି ଛିଡା ହୋଇଛି ତ ଆଉ କିଏ ଗରା ଧରି ଚାହିଁ ବସିଛି । ନୂଆପଡା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ପାଣି ମୁନ୍ଦାଏ ପିଇବା ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ଖଡିଆଳ ବ୍ଲକ ଲାଞ୍ଜି ପଞ୍ଚାୟତର ମତ୍ରୀ ତରାଇ ଗାଁରେ ପାଣି ପାଇଁ ହାହାକାର ସ୍ଥିତି । ଦେଖନ୍ତୁ ଏହି ଦୃଶ୍ୟ ପାଣି ପାଇଁ କିଭଳି ଭାବେ ଲମ୍ବା ଲାଇନ ଲାଗିଛି । ଶବରପଡାରେ ୧୨୦ ପରିବାର ରହୁଥିବା ବେଳେ ଏମାନଙ୍କ ପାଇଁ ଅଛି ମାତ୍ର ଗୋଟିଏ ନଳକୂପ । ସେହି ନଳକୂପରୁ ମଧ୍ୟ ମଇଳା ପାଣି ବାହାରୁଛି । ଲୋକେ ମଇଳା ପାଣି ଜାଣିବା ପରେ ମଧ୍ୟ ବାଧ୍ୟ ହୋଇ ଏହାକୁ ପିଇଥାଆନ୍ତି । ଗୋଟିଏ ନଳକୂପ ପାଇଁ ଏତେ ଲୋକ ନିର୍ଭର କରୁଥିବାରୁ ଲମ୍ବା ଲାଇନ ହେଉଥିବା କୁହାଯାଇଛି ।
ସରକାରଙ୍କ ତରଫରୁ ଓଭରହେଡ ଟ୍ୟାଙ୍କ ନିର୍ମାଣ ହୋଇ ଘରେ ଘରେ ପାଇପ ଲାଗିଛି । କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ପ୍ରକଳ୍ପ କାମ ନିମ୍ନମାନର ହୋଇଥିବା ହେତୁ ମଇଳା ଦୂଷିତ ପାଣି ଆସିବା ସହ ଦୀର୍ଘଦିନ ହେବ ଜଳ ଯୋଗାଣ ବନ୍ଦ ହୋଇଯାଇଛି । ବାରମ୍ବାର ନଳକୂପ ପାଇଁ ଅନୁରୋଧ କରାଗଲେ ମଧ୍ୟ କେହି ଶୁଣୁନଥିବା କୁହାଯାଇଛି । ଏପରିକି ଖଡିଆଳ ବ୍ଲକ ଅଧ୍ୟକ୍ଷା ବିଭାଗକୁ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ। ଏ ବାବଦରେ ନୂଆପଡା ଜିଲ୍ଲାପାଳଙ୍କୁ ପଚାରିବାରୁ ତୁରନ୍ତ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି ।
ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ତେଣୁ ତୁରନ୍ତ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଲେ ଲୋକେ ଉପକୃତ ହେବେ ବୋଲି କୁହାଯାଇଛି ।