Latest Odisha News

BREAKING NEWS

ଆକାଶରେ ଘଟିବ ବିରଳ ମହାଜାଗତିକ ଘଟଣା: ମେ ୩୧ରେ ଦେଖାଦେବ ‘ବ୍ଲୁ ମୁନ୍

ମହାକାଶ ବିଜ୍ଞାନ ଘଟଣାବଳୀକୁ ଟିକିନିଖି ନଜର ରଖୁଥିବା ଲୋକଙ୍କ ପାଇଁ ଆସୁଛି ଏକ ବଡ଼ ଖବର। ଆସନ୍ତା ମେ ୩୧ ତାରିଖରେ ଆକାଶରେ ଏକ ଅଦ୍ଭୁତ ତଥା ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦିନ ରାତି ଆକାଶରେ ଉଦୟ ହେବ ‘ବ୍ଲୁ ମୁନ୍’ (Blue Moon)। ସବୁଠାରୁ ବଡ଼ କଥା ହେଉଛି, ଚଳିତ ବର୍ଷ ଠିକ୍ ଏହି ଦିନରେ ହିଁ ପଡ଼ୁଛି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା। ପବିତ୍ର ପୂର୍ଣ୍ଣିମା ତିଥିରେ ଏଭଳି ଏକ ମହାଜାଗତିକ ଘଟଣା ଘଟିବା ଏକ ଅତି ବିରଳ ସଂଯୋଗ ବୋଲି ବିବେଚନା କରାଯାଉଛି। ତେବେ ଆସନ୍ତୁ ଜାଣିବା, ପ୍ରକୃତରେ ଏହି ‘ବ୍ଲୁ ମୁନ୍’ କ’ଣ ଏବଂ କାହିଁକି ଏହାକୁ ନେଇ ଏବେ ସବୁଆଡ଼େ ଏତେ ଚର୍ଚ୍ଚା?

କ’ଣ ଏହି ‘ବ୍ଲୁ ମୁନ୍’? ସତରେ କ’ଣ ଚନ୍ଦ୍ର ନୀଳ ଦେଖାଯିବ?

ସାଧାରଣତଃ ‘ବ୍ଲୁ ମୁନ୍’ ବା ନୀଳ ଜହ୍ନ ଶବ୍ଦ ଶୁଣିଲେ ଅନେକଙ୍କ ମନରେ ଧାରଣା ଆସେ ଯେ ବୋଧହୁଏ ଚନ୍ଦ୍ରଟି ସେଦିନ ନୀଳ ରଙ୍ଗର ଦେଖାଯିବ। କିନ୍ତୁ ବାସ୍ତବରେ ଚନ୍ଦ୍ରର ରଙ୍ଗ ସହିତ ଏହାର କୌଣସି ସମ୍ପର୍କ ନାହିଁ। ମହାକାଶ ବିଜ୍ଞାନର ପରିଭାଷା ଅନୁଯାୟୀ, ଯେତେବେଳେ ଗୋଟିଏ ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼େ, ସେତେବେଳେ ସେହି ଦ୍ୱିତୀୟ ପୂର୍ଣ୍ଣିମାର ଚନ୍ଦ୍ରକୁ ‘ବ୍ଲୁ ମୁନ୍’ କୁହାଯାଏ।

ଚଳିତ ମେ ମାସରେ ଠିକ୍ ଏମିତି ଏକ ସ୍ଥିତି ଉପୁଜିଛି। ମେ ୧ ତାରିଖରେ ମାସର ପ୍ରଥମ ପୂର୍ଣ୍ଣିମା ପଡ଼ିଥିବା ବେଳେ ଏବେ ମେ ୩୧ ତାରିଖରେ ଦ୍ୱିତୀୟ ପୂର୍ଣ୍ଣିମା ହେବାକୁ ଯାଉଛି। ଗୋଟିଏ ମାସରେ ଦୁଇ ଦୁଇଟି ପୂର୍ଣ୍ଣିମା ଆସିବା ସାଧାରଣ କଥା ନୁହେଁ। ପ୍ରାୟତଃ ପ୍ରତି ଅଢ଼େଇ ବର୍ଷରେ ଥରେ ହିଁ ଏଭଳି ଦୃଶ୍ୟ ସୃଷ୍ଟି ହୋଇଥାଏ। ତେଣୁ ଏଥରର ଚନ୍ଦ୍ର ନିଜର ସ୍ୱାଭାବିକ ରଙ୍ଗ (ଧଳା କିମ୍ବା ଈଷତ୍ ହଳଦିଆ) ରେ ହିଁ ଦେଖାଯିବ ସିନା, କିନ୍ତୁ କ୍ୟାଲେଣ୍ଡର ଓ ଗଣନା ହିସାବରେ ଏହାକୁ ‘ବ୍ଲୁ ମୁନ୍’ର ଆଖ୍ୟା ଦିଆଯାଇଛି।

ଏଥରର ଜ୍ୟେଷ୍ଠ ପୂର୍ଣ୍ଣିମାର ଆଧ୍ୟାତ୍ମିକ ମହତ୍ତ୍ୱ ଅନ୍ୟ ବର୍ଷ ତୁଳନାରେ ଅନେକ ଗୁଣ ଅଧିକ ରହିଛି। କାରଣ ଚଳିତ ବର୍ଷ (୨୦୨୬) ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ‘ଅଧିକ ମାସ’ ପଡ଼ିଛି। ଫଳରେ ଏହି ପୂର୍ଣ୍ଣିମାକୁ ‘ଅଧିକ ଜ୍ୟେଷ୍ଠ ପୂର୍ଣ୍ଣିମା’ ବୋଲି ମଧ୍ୟ କୁହାଯାଉଛି। ପଞ୍ଚାଙ୍ଗ ଅନୁସାରେ, ମେ ୩୦ ତାରିଖ ଦିନ ୧୧ଟା ୫୭ ମିନିଟ୍‌ରୁ ପୂର୍ଣ୍ଣିମା ତିଥି ଆରମ୍ଭ ହୋଇ ମେ ୩୧ ତାରିଖ ଅପରାହ୍ନ ୨ଟା ୧୪ ମିନିଟ୍ ପର୍ଯ୍ୟନ୍ତ ରହିବ। ତେବେ ଉଦୟା ତିଥି ଅନୁସାରେ, ମେ ୩୧ ତାରିଖ ରବିବାର ଦିନ ହିଁ ସ୍ନାନ, ଦାନ ଓ ବ୍ରତ ଆଦି ପାଳନ କରାଯିବ।

ଧାର୍ମିକ ବିଶ୍ୱାସ ରହିଛି ଯେ, ଏଭଳି ଏକ ଦୁର୍ଲଭ ତଥା ପବିତ୍ର ଦିନରେ ବ୍ରତ ରଖିବା, କୌଣସି ପବିତ୍ର ନଦୀରେ ବୁଡ଼ ପକାଇବା ଏବଂ ଗରିବଙ୍କୁ ଦାନପୁଣ୍ୟ କରିବା ଦ୍ୱାରା ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଭଗବାନ ବିଷ୍ଣୁ ଓ ପ୍ରଭୁ ଶିବଙ୍କ ସ୍ୱତନ୍ତ୍ର କୃପା ଲାଭ କରିବା ପାଇଁ ଏହି ଦିନଟି ବେଶ୍ ଫଳପ୍ରଦ ବୋଲି ଜ୍ୟୋତିଷ ଶାସ୍ତ୍ରବିତ୍‌ମାନେ ମତ ଦେଉଛନ୍ତି।

ଏହି ବିରଳ ସଂଯୋଗ ଦିନ ରାତିର ଆକାଶ ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ଏହି ରାତିରେ ଚନ୍ଦ୍ରମା ତାର ଷୋହଳ କଳାରେ ଉଦ୍ଭାସିତ ହୋଇ ପୃଥିବୀକୁ ଆଲୋକିତ କରିବ। ଯେଉଁମାନେ ମହାଜାଗତିକ ଘଟଣାକୁ ନିଜ ଆଖିରେ ଦେଖିବାକୁ ଅପେକ୍ଷା କରି ରହିଥାନ୍ତି, ସେମାନଙ୍କ ପାଇଁ ଏହା କୌଣସି ବଡ଼ ଉତ୍ସବଠାରୁ କମ୍ ନୁହେଁ

Leave A Reply

Your email address will not be published.