Latest Odisha News

BREAKING NEWS

ସବୁଠୁ ଉତ୍ତପ୍ତ ସହର ପାଲଟିଲା ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର: ଆକାଶରୁ ଖରା ନୁହେଁ, ଯେମିତି ନିଆଁ ବର୍ଷୁଛି। ଗ୍ରୀଷ୍ମର ପ୍ରକୋପରେ ଏବେ ରାଜ୍ୟବାସୀ ତ୍ରାହି ତ୍ରାହି ଡାକିଲେଣି। ବିଶେଷ କରି ରାଜଧାନୀ ଭୁବନେଶ୍ୱରର ସ୍ଥିତି ସବୁଠାରୁ ସଙ୍ଗିନ ହୋଇପଡ଼ିଛି। ପାଣିପାଗ ବିଭାଗର ତାଜା ରିପୋର୍ଟ ଅନୁଯାୟୀ, ଦିନର ତାପମାତ୍ରାରେ ଅନ୍ୟ ସମସ୍ତ ଜିଲ୍ଲାକୁ ପଛରେ ପକାଇ ଭୁବନେଶ୍ୱର ଏବେ ସମଗ୍ର ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ଭାବେ ଉଭା ହୋଇଛି। ଦିନ ୨ଟା ୩୦ ସୁଦ୍ଧା ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।  ଗୋଟିଏ ପଟେ ଉପରୁ ପ୍ରଚଣ୍ଡ ରୌଦ୍ରତାପ ଏବଂ ଅନ୍ୟପଟେ ଅସମ୍ଭାଳ ଗୁଳୁଗୁଳି, ରାଜଧାନୀ ବାସୀଙ୍କ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି।

ଦିନ ୧୦ଟା ବାଜିଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳୁ ସକାଳୁ ହିଁ ଖରାର ତେଜ ଏତେ ପ୍ରଖର ରହୁଛି ଯେ ଲୋକେ ଦେହରେ ଝାଳ ବାହାରିବା ପୂର୍ବରୁ ନିଜ ନିଜର କାମ ସାରିଦେବାକୁ ଉଚିତ୍ ମଣୁଛନ୍ତି। ସ୍ମାର୍ଟ ସିଟିର ବ୍ୟସ୍ତବହୁଳ ରାସ୍ତାଘାଟ ଦିନ ଦ୍ୱିପ୍ରହର ବେଳକୁ ଏକପ୍ରକାର ଶୂନଶାନ୍ ହୋଇଯାଉଛି। ଜନଗହଳି ପୂର୍ଣ୍ଣ ମାର୍କେଟ୍ ବିଲ୍ଡିଂ ହେଉ ଅବା ଖଣ୍ଡଗିରି ଛକ, ସବୁଠି ଖାଁ ଖାଁ ପରିବେଶ। ତାପମାତ୍ରା ପାରଦ ରେକର୍ଡ ସ୍ତର ଛୁଇଁଥିବା ବେଳେ ବାହାରେ ଝାଞ୍ଜି ପବନ ଦେହ ହାତ ପୋଡି ପକାଉଛି।

କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକର ଅବସ୍ଥା ମଧ୍ୟ କିଛି କମ୍ ନୁହେଁ। ପାଣିପାଗ ବିଭାଗର ପରିସଂଖ୍ୟାନ ଉପରେ ନଜର ପକାଇଲେ ଦେଖାଯାଉଛି ଯେ, ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୩୭.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୭.୪ ଏବଂ ସମ୍ବଲପୁରରେ ୩୬.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଭୁବନେଶ୍ୱରର ତାପମାତ୍ରା ଏହି ସବୁ ସହରକୁ ଟପିଯାଇ ସର୍ବୋଚ୍ଚ ସ୍ଥାନରେ ରହିଛି। ଦିନକୁ ଦିନ ବଢୁଥିବା କଂକ୍ରିଟ୍ ଜଙ୍ଗଲ, ଗାଡ଼ିମୋଟରର ପ୍ରଦୂଷଣ ଏବଂ ସବୁଜିମା କମିଯିବା କାରଣରୁ ରାଜଧାନୀରେ ତାତିର ପ୍ରକୋପ ଅଧିକ ଅନୁଭୂତ ହେଉଥିବା ପରିବେଶବିତ୍‌ମାନେ ମତ ଦେଉଛନ୍ତି।

ଏହି ଗ୍ରୀଷ୍ମ ପ୍ରବାହର ସବୁଠାରୁ ବଡ଼ ଶିକାର ହେଉଛନ୍ତି ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଉଠା ଦୋକାନୀ, ଅଟୋ ଚାଳକ ଏବଂ ଦିନ ମଜୁରିଆ। ପେଟ ପାଇଁ ଖରାକୁ ଖାତିର ନକରି ଯେଉଁମାନେ ବାହାରକୁ ବାହାରୁଛନ୍ତି, ସେମାନେ ମୁହଁରେ ଗାମୁଛା ଓ ହାତରେ ଛତା ଧରି ଯାତ୍ରା କରୁଛନ୍ତି। ଛକ ବଜାରରେ ଥିବା ଲେମ୍ବୁ ପାଣି, ଦହି ସରବତ, ଲସି ଓ ଥଣ୍ଡା ପାନୀୟ ଦୋକାନରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ସେପଟେ ପ୍ରବଳ ଖରା ଓ ଗରମ କାରଣରୁ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳର ଘୋର ଅଭାବ ମଧ୍ୟ ଦେଖାଦେଲାଣି।

ବର୍ତ୍ତମାନ ପାଣିପାଗ ବିଭାଗର ପୂର୍ବାନୁମାନ ଯାହା ଇସାରା କରୁଛି, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି ଅଗ୍ନିବର୍ଷା ତାତିରୁ ତୁରନ୍ତ ନିସ୍ତାର ମିଳିବାର କୌଣସି ସମ୍ଭାବନା ନାହିଁ। ବରଂ ଆକାଶ ନିର୍ମଳ ରହିବା କାରଣରୁ ପାରଦ ଆହୁରି ଉପରକୁ ଉଠିବାର ଆଶଙ୍କା ରହିଛି। ତେଣୁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ, ପ୍ରଚୁର ପରିମାଣରେ ପାଣି ପିଇବାକୁ ଏବଂ ଖରାବେଳେ ଅଯଥା ଘରୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଛି।

Leave A Reply

Your email address will not be published.