ସୁନ୍ଦରଗଡ଼: ସୁନ୍ଦରଗଡ଼ ଭଷ୍ମା ଅଞ୍ଚଳରେ ଦୁର୍ଘଟଣା ଘଟାଇଥିବା ଜଣେ ପିକଅପ୍ ଭ୍ୟାନ ଡ୍ରାଇଭରକୁ ଏକ ଲୁହା ରଡ୍ ରେ ପିଟିପିଟି ହତ୍ୟା କରିଛନ୍ତି ଅନ୍ୟ ଡ୍ରାଇଭରମାନେ । ମୃତ ଡ୍ରାଇଭର ଜଣକ ହେଲେ ଭଷ୍ମା ଥାନା ଅଧୀନ ଗୁଲଠା ଗାଁର ରାଜେଶ ମୁଣ୍ଡା (୩୬) । ଘଟଣାରେ ସୁନ୍ଦରଗଡ଼ ଉପଖଣ୍ଡ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଖବର ମୁତାବକ, ଶୁକ୍ରବାର ଅପରାହ୍ନ ସମୟରେ ଏକ ଟ୍ରକ୍ର ଟାୟାର୍ ମରାମତି କାମ କରିବାକୁ ଯାଇଥିଲେ ରାଜେଶ ମୁଣ୍ଡା । କାମ ସାରି ଫେରିବା ସମୟରେ ସୁରଡା ଛକରେ ହଠାତ ରାସ୍ତା ଉପରକୁ ଚାଲି ଆସିଥିବା ଜଣେ ଟ୍ରେଲର୍ ଡ୍ରାଇଭର ମୁକେଶ ଯାଦବଙ୍କୁ ରାଜେଶଙ୍କ ବଲେରୋ ପିକ୍ଅପ୍ ଧକ୍କା ଦେଇଥିଲା ।
ମୁକେଶଙ୍କ ଗୋଡ଼ ଭାଙ୍ଗିଯିବା ସହ ଗୁରୁତର ଆହତ ହୋଇଥିଲେ । ହେଲେ ରାଜେଶ ତାଙ୍କୁ ତୁରନ୍ତ ମେଡିକାଲ ନେଇଥିଲେ । ହେଲେ ଛକରେ ଥିବା ଅନ୍ୟ ଟ୍ରେଲର ଡ୍ରାଇଭରମାନେ ରାଜେଶଙ୍କ ଗାଡିକୁ ଅଟକାଇବା ସହ ତାଙ୍କୁ ଲୁହା ରଡ୍ ରେ ମାଡ଼ମାରି ଆଧାମରା କରି ଦେଇଥିଲେ । ସେ ରକ୍ତାକ୍ତ ହୋଇ ତଳେ ପଡ଼ିଯିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଓ ଆହତ ମୁକେଶଙ୍କୁ ସେହି ଗାଡ଼ିରେ ଡ୍ରାଇଭରମାନେ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ରାଜେଶଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ପରେ ଖବରପାଇ ପୋଲିସ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାରେ ପହଞ୍ଚିଥିଲା । ଘଟଣାରେ ଅଭିଯୁକ୍ତ ଅନ୍ୟ ଡ୍ରାଇଭର ମନୀଷ କୁମାର, ବିକାଶ କୁମାର ଓ ଅମ୍ରିତ ଲାଲକୁ ଗିରଫ କରିବାରେ ସଫଳ ହୋଇଛି ।