ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି। ଆମେରିକାର ଟ୍ରମ୍ପ ପ୍ରଶାସନ ରୁଷ୍ର ଅଶୋଧିତ ତେଲ ଉପରୁ ପ୍ରତିବନ୍ଧକ କୋହଳ ସୀମା ବା ‘ୱେଭର’କୁ ଶେଷ କରିବାକୁ ନିଷ୍ପତ୍ତି ନେଇଛି। ଏହି ବଡ଼ ନିଷ୍ପତ୍ତି ଯୋଗୁଁ ଭାରତ ସାମ୍ନାରେ ଏକ ବଡ଼ ଶକ୍ତି ସଙ୍କଟ ସୃଷ୍ଟି ହେବାକୁ ଯାଉଛି। ଗୋଟେ ପଟେ ଇରାନ ଯୁଦ୍ଧ ଏବଂ ଅନ୍ୟପଟେ ରୁଷ୍ ତେଲ ଉପରେ ଆମେରିକାର କଟକଣା। ଫଳରେ ଭାରତ ଏବେ ଦ୍ୱିମୁଖୀ ସଙ୍କଟ ମଧ୍ୟରେ ଫସି ଯାଇଛି।
ବିଗତ କିଛି ମାସ ଧରି ଆମେରିକାର ରିହାତି ଯୋଗୁଁ ଭାରତ ରୁଷ୍ଠାରୁ ଶସ୍ତାରେ ଅଶୋଧିତ ତେଲ କିଣି ଗ୍ଲୋବାଲ ଅଏଲ୍ ଶକ୍ରୁ ନିଜକୁ ରକ୍ଷା କରିପାରିଥିଲା। ମାତ୍ର ରବିବାର ଆମେରିକା ଦେଇଥିବା ଏହି ସମୟ ସୀମା ଶେଷ ହୋଇଯାଇଛି। ଆମେରିକାର ସାଂସଦ ଏବଂ ୟୁରୋପୀୟ ସହଯୋଗୀମାନଙ୍କ ଚାପ ଯୋଗୁଁ ଟ୍ରମ୍ପ ପ୍ରଶାସନ ଏହି ରିହାତିକୁ ଆଉ ବଢ଼ାଇ ନାହିଁ। ପାଶ୍ଚାତ୍ୟ ଦେଶଗୁଡ଼ିକର କହିବା କଥା ଯେ, ଏହି ରିହାତି ଯୋଗୁଁ ମସ୍କୋର ରାଜସ୍ୱ ବୃଦ୍ଧି ପାଉଥିଲା, ଯାହାକୁ ସେମାନେ ୟୁକ୍ରେନ ଯୁଦ୍ଧ ପାଇଁ ଆଇସୋଲେଟ୍ କରିବାକୁ ଚାହୁଁଥିଲେ। ଏହି ନିଷ୍ପତ୍ତି ପରେ ଭାରତର ସମ୍ପୂର୍ଣ୍ଣ ଏନର୍ଜି ଇକ୍ୱେସନ୍ ବଦଳିଯାଇଛି।
ସଙ୍କଟ ଏତିକିରେ ସରିନାହିଁ। ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଏଲ୍ ଚୋକ୍ପଏଣ୍ଟ ‘ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ପ୍ରଭାବିତ ହୋଇଛି। ତେଲ ଟ୍ୟାଙ୍କର ଚଳାଚଳ ମନ୍ଥର ହୋଇଯାଇଛି ଏବଂ ବୀମା ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି। ଯୁଦ୍ଧ ପୂର୍ବରୁ ବିଶ୍ୱ ବଜାରରେ ଯେଉଁ ଅଶୋଧିତ ତେଲ ବାରେଲ ପିଛା ୭୨ ଡଲାର ଥିଲା, ତାହା ଏବେ ବୃଦ୍ଧି ପାଇ ୧୦୫ ଡଲାର ପାର୍ କରିସାରିଛି। ଭାରତରେ ମାତ୍ର କିଛି ଦିନ ପୂର୍ବରୁ ହିଁ ତେଲ ଦର ପାଖାପାଖି ୩ ଟଙ୍କା ବୃଦ୍ଧି ପାଇଥିବା ବେଳେ ଏବେ ପୁଣି ଏକ ନୂଆ ବିପଦ ମାଡ଼ି ଆସୁଛି।
ବିଗତ ଦୁଇ ବର୍ଷ ଧରି ରିହାତି ମୂଲ୍ୟରେ ମିଳୁଥିବା ରୁଷ୍ର କ୍ରୁଡ୍ ଅଏଲ୍ ଭାରତ ପାଇଁ ମହଙ୍ଗା ମାଡ଼ ବିରୁଦ୍ଧରେ ଏକ ବଡ଼ ଢାଲ ସାଜିଥିଲା। ସାଉଦି ଆରବ, ଇରାକ ଏବଂ ୟୁଏଇ ଭଳି ଦେଶରୁ ଯୋଗାଣ ଅସ୍ଥିର ଥିବା ବେଳେ ଭାରତ ଋଷକୁ ନିଜର ସବୁଠାରୁ ବଡ଼ ତେଲ ଯୋଗାଣକାରୀ ଦେଶ ବନାଇଥିଲା। ‘କେପଲର’ର ରିପୋର୍ଟ ଅନୁଯାୟୀ, ଗତ ମେ ମାସରେ ଭାରତ ରୁଷ୍ଠାରୁ ଦୈନିକ ରେକର୍ଡ ୨.୩ ମିଲିୟନ ବାରେଲ ତେଲ ଆମଦାନୀ କରିଥିଲା। କିଛି ମାସରେ ତ ଭାରତର ମୋଟ ଆମଦାନୀର ପ୍ରାୟ ଅଧା ଭାଗ କେବଳ ରୁଷ୍ରୁ ହିଁ ଆସୁଥିଲା।
କିନ୍ତୁ ଏବେ ଆମେରିକାର ୱେଭର ଶେଷ ହେବା ପରେ ଭାରତୀୟ ରିଫାଇନେରୀଗୁଡ଼ିକ ପାଇଁ ବିପଦ ବଢ଼ିଯାଇଛି। ଭାରତ ନିଜର ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତରୁ ଅଧିକ ଅଶୋଧିତ ତେଲ ବାହାରୁ ଆମଦାନୀ କରିଥାଏ। ତେଣୁ ଆଗାମୀ ଦିନରେ ଯଦି ତେଲ ଦର ଏମିତି ବଢ଼ି ଚାଲେ। ତେବେ ଏହାର ସିଧାସଳଖ ପ୍ରଭାବ ଦେଶର ମୁଦ୍ରାସ୍ଫୀତି, ସରକାରଙ୍କ ଆର୍ଥିକ ବଜେଟ୍ ଏବଂ ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ିବ। ଆଗାମୀ ଦିନ ଭାରତୀୟ ଅର୍ଥନୀତି ପାଇଁ ବେଶ୍ ଚିନ୍ତାଜନକ ହୋଇପାରେ।