Latest Odisha News

BREAKING NEWS

ସୌମ୍ୟ ରଞ୍ଜନ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ଵର: ବହୁ ଚର୍ଚ୍ଚିତ ବାଲିଅନ୍ତାରେ GRP କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣାକୁ ୧୨ ଦିନ ପୁରିଛି। ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଏନେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମ ଟିମ୍ ପୁରା ଆକ୍ଟିଭ୍ ଅଛି, ଏହି ଘଟଣାରେ କାହାରିକୁ ବି ଛଡ଼ା ଯିବନି। ସମସ୍ତଙ୍କୁ ଗିରଫ କରାଯିବ। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି। ସୌମ୍ୟଙ୍କ ମାଆ ନିଶ୍ଚିତ ନ୍ୟାୟ ପାଇବେ। କ୍ରାଇମବ୍ରାଞ୍ଚ SPଙ୍କ ନତୃତ୍ବରେ ଏବଂ DIGଙ୍କ ତତ୍ତ୍ବାବଧାନରେ ମାମଲାର ଅନୁଧ୍ୟାନ କରାଯାଉଛି। ଏପର୍ଯ୍ୟନ୍ତ ଏହି ଘଟଣାରେ ୧୩ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ ମେ’ ୭ ତାରିଖରେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ଵାଇଁ ତାଙ୍କ ସାଙ୍ଗ ସହିତ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତାଙ୍କ ବାଇକ୍ ଦୁଇ ଜଣ ଝିଅ ଯାଉଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା। ପରେ ଉଭୟ ମଧ୍ୟରେ ଯୁକ୍ତତର୍କ ଲାଗିଥିଲା। ଏହା ପରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ। ପରେ ଲୋକମାନେ ସୌମ୍ୟ ରଞ୍ଜନଙ୍କୁ ହାତ ଗୋଡ଼ ବାନ୍ଧି ଅମାନୁଷିକ ଭାବେ ପିଟିଥିଲେ। ଏଥିରେ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା।

ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ ରଞ୍ଜିତ ପାତ୍ରକୁ ମିଶାଇ ୧୩ ଜଣଙ୍କୁ ଗିରଫ କରାଯାଇଛି। ପୂର୍ବରୁ ୧୧ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ୨ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ବାକି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଖୁବଶୀଘ୍ର ସେମାନେ ବନ୍ଧା ହେବେ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି।

Leave A Reply

Your email address will not be published.