ପୁରୀ: ଉତ୍ତର ପ୍ରଦେଶର ହାପୁରରେ ଅଦିନିଆ ରଥଯାତ୍ରା ଏବଂ ନେତ୍ରୋତ୍ସବ ପାଳନର ପ୍ରସ୍ତାବକୁ ଦୃଢ଼ ବିରୋଧ କରିଛି ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA)। ଉତ୍ତର ପ୍ରଦେଶ ହାପୁର ଜିଲ୍ଲାର ଭଗବାନ ଶ୍ରୀଜଗନ୍ନାଥ ରଥଯାତ୍ରା ସେବା ସମିତି ପକ୍ଷରୁ ତା ୧୩.୬.୨୦୨୬ ରିଖରେ ନେତ୍ରୋତ୍ସବ ଓ ତା ୧୪.୬.୨୦୨୬ରିଖ ରେ ରଥଯାତ୍ରା ପାଳନ କରାଯାଉଥିବା ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ଦୃଢ଼ ପ୍ରତିବାଦ କରାଯାଇଛି।
ଏହି ପରିପ୍ରେକ୍ଷୀରେ ମୁଖ୍ୟ ପ୍ରଶାସକ ଶ୍ରୀଜଗନ୍ନାଥ ମନ୍ଦିର, ପୁରୀ ଭାପୁର ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ତାଙ୍କର ତା୧୮.୫.୨୦୨୬ରିଖ, ପତ୍ରରେ ସଂପୃକ୍ତ ରଥଯାତ୍ରା ସେବା ସମିତିଙ୍କୁ ପାରମ୍ପରିକ ତିଥି ବ୍ୟତିରେକ ବିନା ତିଥିରେ ଏହି ଉତ୍ସବ ପାଳନରୁ ନିବୃତ ରହିବାକୁ ଉଚିତ ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।
ମୁଖ୍ୟ ପ୍ରଶାସକ ତାଙ୍କ ପତ୍ରରେ ହାପୁର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ ଅ-ତିଥିରେ ପାଳନ କରାଯାଉଥିବା ରଥଯାତ୍ରାକୁ ବିରୋଧ କରି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ସଂକଳ୍ପ ଗ୍ରହଣ କରିଛନ୍ତି, ଚଳିତ ବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ରଥଯାତ୍ରା, ପାରମ୍ପରିକ ତଥା ଶାସ୍ତ୍ରାନୁମୋଦିତ ବିଧି ଅନୁସାରେ ଯଥାକ୍ରମେ ତା୧୪.୭.୨୦୨୬ରିଖ ଓ ତା ୧୬.୭.୨୦୨୬ରିଖ ରେ ଅନୁଷ୍ଠିତ ହେବ। ଏହି ଦିନ ଭିନ୍ନ ଅନ୍ୟ କୌଣସି ଦିନ ନେତ୍ରୋତ୍ସବ ଓ ରଥଯାତ୍ରା ପାଳନ କଲେ ଦେଶ ବିଦେଶର ଅଗଣିତ ଭକ୍ତ ମାନଙ୍କର ଧାର୍ମିକ ଭାବନାରେ ଆଘାତ ସୃଷ୍ଟି କରିବ ବୋଲି ମୁଖ୍ୟ ପ୍ରଶାସକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।