Latest Odisha News

BREAKING NEWS

ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଆଇନଶୃଙ୍ଖଳା: ବାଲିଅନ୍ତା ପରେ ଏବେ ବ୍ରହ୍ମପୁର, ରାସ୍ତା ମଝିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଓଡ଼ିଶାରେ ଏବେ ଆଇନଶୃଙ୍ଖଳା ସ୍ଥିତି କେଉଁ ସ୍ତରକୁ ଖସି ଆସିଲାଣି, ତାହାର ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ପୋଲିସକୁ ଆଉ ଅପରାଧୀଙ୍କ ଭୟ ନାହିଁ। ଖାକି ବର୍ଦ୍ଦିର ଭୟ ଯେମିତି ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣାର ଦାଗ ଲିଭିନାହିଁ। ସାରା ରାଜ୍ୟ ଏହି ଅମାନୁଷିକ କାଣ୍ଡକୁ ନେଇ ସ୍ତବ୍ଧ ଥିବା ବେଳେ, ଏବେ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରରୁ ଆସିଛି ଆଉ ଏକ ଛାତିଥରା ଖବର। ପୁଣି ସେହି ସମାନ ଢଙ୍ଗରେ ରାସ୍ତା ମଝିରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଗହଳିପୂର୍ଣ୍ଣ ଗିରି ରୋଡ୍ ଛକ ନିକଟରେ ଏହି ଘଟଣା ଘଟିଛି। କିଛି ଯୁବକ ସଂଘବଦ୍ଧ ଭାବେ ଜଣେ ଯୁବକଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଦୁଇ ଜଣ ଦୁର୍ବୃତ୍ତ ସମ୍ପୃକ୍ତ ଯୁବକଙ୍କୁ ତଳେ ପକାଇ ଗୋଇଠା ଓ ବିଧା ମାରି ନିସ୍ତୁକ ପିଟି ଚାଲିଥିଲେ। ଯେମିତି ସେମାନଙ୍କ ଭିତରେ କୌଣସି ମଣିଷପଣିଆ ବଞ୍ଚି ନଥିଲା। ଏହି ସମୟରେ ଘଟଣାସ୍ଥଳରେ ଥିବା ଜଣେ ଯୁବତୀ ଏହି ଆକ୍ରମଣକୁ ଜୋରଦାର ପ୍ରତିବାଦ କରୁଥିବା ଏବଂ ଆକ୍ରମଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ରକ୍ତମୁଖା ସାଜିଥିବା ଦୁର୍ବୃତ୍ତମାନେ କାହା କଥା ଶୁଣିବା ସ୍ଥିତିରେ ନଥିଲେ।

ଏହି ମରଣାନ୍ତକ ଆକ୍ରମଣରେ ଯୁବକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି। ରକ୍ତାକ୍ତ ଏବଂ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣ ପାଇଁ ଏହି ଆକ୍ରମଣ ହେଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ପୂର୍ବ ଶତ୍ରୁତା ନା ଗ୍ୟାଙ୍ଗ୍ ୱାର୍ କିମ୍ବା ଆଉ କିଛି କାରଣ, ସେ ଦିଗରେ ବୈଦ୍ୟନାଥପୁର ଥାନା ପୋଲିସ ନିଜର ତଦନ୍ତ ଆରମ୍ଭ କରିଛି।

ବର୍ତ୍ତମାନ ଏହି ଆକ୍ରମଣ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକେ ଏହାକୁ ସେୟାର କରି ପୋଲିସର ନିଷ୍କ୍ରିୟତା ଉପରେ କଡ଼ା ପ୍ରଶ୍ନ ଉଠାଉଛନ୍ତି। ଗୋଟିଏ ପରେ ଗୋଟିଏ ଏଭଳି ସଂଘବଦ୍ଧ ଆକ୍ରମଣ ଏବଂ ହିଂସା ଘଟଣା ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.