କୋଲକାତା: ସମୟ ସବୁବେଳେ ସମାନ ରହେନି। କ୍ଷମତାର ଅହଂକାର ଭିତରେ ଯେଉଁ ସତ୍ୟର ସ୍ୱରକୁ ଚପାଇ ଦିଆଯାଇଥିଲା, ଆଜି ତାହା ପୁଣି ଥରେ ମୁଣ୍ଡ ଟେକିଛି। ୨୦୧୨ ମସିହାର ବହୁ ଚର୍ଚ୍ଚିତ ‘ପାର୍କ ଷ୍ଟ୍ରିଟ୍ ଗଣଦୁଷ୍କର୍ମ ମାମଲା’ ଆପଣଙ୍କର ନିଶ୍ଚୟ ମନେଥିବ। ସେତେବେଳେ ଜଣେ ମହିଳା ଆଇପିଏସ୍ ଅଫିସର ନିଜ ଜୀବନ ଓ ଚାକିରିକୁ ବାଜି ଲଗାଇ ସତ୍ୟର ସାମ୍ନା କରିଥିଲେ ଏବଂ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ସେ ହେଉଛନ୍ତି ପଶ୍ଚିମବଙ୍ଗ କ୍ୟାଡରର ନିର୍ଭୀକ ପୋଲିସ ଅଫିସର ଦମୟନ୍ତୀ ସେନ୍।
ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ସମ୍ବେଦନଶୀଳ ଘଟଣାକୁ ଏକ ‘ସଜାଯାଇଥିବା ନାଟକ’ ବା ମିଥ୍ୟା ଅଭିଯୋଗ ବୋଲି କହିଥିବା ବେଳେ, ଦମୟନ୍ତୀ କିନ୍ତୁ ପୋଲିସ କମିଶନର ଥାଇ ନିର୍ଭୀକ ଭାବେ ପ୍ରମାଣିତ କରିଥିଲେ ଯେ ଝିଅଟି ସହ ପ୍ରକୃତରେ ଗଣଦୁଷ୍କର୍ମ ହୋଇଛି। ଆଉ ତା’ର ପରିଣାମ ସ୍ୱରୂପ ତାଙ୍କୁ ତୁରନ୍ତ ସେହି ପଦବୀରୁ ବଦଳି କରାଯାଇ ବର୍ଷ ବର୍ଷ ଧରି ଲୁଚାଇ (ସାଇଡଲାଇନ୍ କରି) ରଖାଯାଇଥିଲା।
କିନ୍ତୁ ଏବେ ପଶ୍ଚିମବଙ୍ଗରେ ପରିସ୍ଥିତି ବଦଳିଛି। ସରକାର ବି ବଦଳିଛି। କ୍ଷମତାକୁ ଆସୁଆସୁ ରାଜ୍ୟର ନୂଆ ବିଜେପି ସରକାର ମହିଳା ସୁରକ୍ଷା ଏବଂ ପୁରୁଣା ଅପରାଧର ପର୍ଦ୍ଦାଫାଶ କରିବା ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗରେ ମହିଳାମାନଙ୍କ ଉପରେ ହୋଇଥିବା ଅପରାଧଗୁଡ଼ିକର ତଦନ୍ତ ପାଇଁ ଗଠିତ ନୂତନ ‘ବେଙ୍ଗଲ ମହିଳା ଅପରାଧ କମିଶନ’ରେ ଦମୟନ୍ତୀ ସେନ୍ଙ୍କୁ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଶୀର୍ଷ ଦାୟିତ୍ୱ ମିଳିଛି।
ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଦମୟନ୍ତୀଙ୍କୁ ଅଣଦେଖା କରାଯାଇଥିଲା। ତାଙ୍କ ଭଳି ଜଣେ ଦକ୍ଷ ତଦନ୍ତକାରୀ ଅଧିକାରୀଙ୍କ ପ୍ରତି ରାଜନୈତିକ ଉଦ୍ଦେଶ୍ୟ ରଖି ଅବିଚାର କରାଯାଇଥିଲା। କିନ୍ତୁ ନୂଆ ସରକାର ତାଙ୍କ ଅଭିଜ୍ଞତାକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସନ୍ଦେଶଖାଲି ଭଳି ହୃଦୟ ବିଦାରକ ଘଟଣା ଠାରୁ ଆରମ୍ଭ କରି କାମଦୁନି ଗଣଦୁଷ୍କର୍ମ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ମାମଲା ଯେଉଁଠି ପୂର୍ବ ସରକାର ଅମଳରେ ପ୍ରମାଣ ନଷ୍ଟ କରାଯାଇଥିଲା କିମ୍ବା ପୀଡ଼ିତାମାନେ ନ୍ୟାୟରୁ ବଞ୍ଚିତ ହୋଇଥିଲେ ଏବେ ସେସବୁର ପୁନଃ ତଦନ୍ତ ଓ ସମୀକ୍ଷା ହେବାର ଦୃଢ଼ ସମ୍ଭାବନା ସୃଷ୍ଟି ହୋଇଛି। ଏହି କମିଶନ ମାଧ୍ୟମରେ ଦମୟନ୍ତୀ ପୁଣି ଥରେ ରାଜ୍ୟରେ ମହିଳା ବିରୋଧୀ ଅପରାଧୀଙ୍କ ନିଦ ହଜାଇବାକୁ ଯାଉଛନ୍ତି।