ଚେନ୍ନାଇ: ଶେଷ ହେଲା କି ମାହି ଯୁଗ?
ଅବସର ନେଲେ କି ମହେନ୍ଦ୍ର ସିଂ ଧୋନି?
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) 2026 ସମୟରେ ଚେନ୍ନାଇର ଚେପକ ଷ୍ଟାଡିୟମ (ଏମଏ ଚିଦାମ୍ବରମ ଷ୍ଟାଡିୟମ)ରେ ଯାହା ଘଟିଥିଲା ତାହା ପ୍ରତ୍ୟେକ ଥାଲା ପ୍ରଶଂସକଙ୍କ ହୃଦୟର ସ୍ପନ୍ଦନକୁ ବଢାଇ ଦେଇଛି । ଯେତେବେଳେ ଚେନ୍ନାଇ ସୁପର କିଙ୍ଗସ (CSK) ଚିଦାମ୍ବରମ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ୍ ୨୦୨୬ର ସେମାନଙ୍କର ଶେଷ ଘରୋଇ ମ୍ୟାଚ୍ ଖେଳିଥିଲା, ସେତେବେଳେ ଷ୍ଟାଡିୟମ ଏବଂ ସୋସିଆଲ ମିଡିଆରେ ଗୋଟିଏ ପ୍ରଶ୍ନ ଉଠୁଥିଲା: “ଏହା କ’ଣ ଧୋନିଙ୍କ ଶେଷ ମ୍ୟାଚ୍ ଥିଲା?” ପ୍ରଶଂସକମାନଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା, ଏବଂ ଧୋନିଙ୍କ ବିଦାୟ ସମସ୍ତଙ୍କୁ ଭାବପ୍ରବଣ କରିବା ସହ ତାଙ୍କ ଯିବା ମାତ୍ରେ ଅନେକ କଳ୍ପନାଜଳ୍ପନା ଏବେ ସୋସିଆଲ ମିଡିଆରେ ଛାଇଛି । ଧୋନି IPL 2026 ରେ ଖେଳିବେ କି ନାହିଁ ସେ ସସପେନ୍ସ ଏବେ ଓଭର ହୋଇଥିବା ବେଳେ, ତାଙ୍କ ଘନିଷ୍ଠ ବନ୍ଧୁ ସୁରେଶ ରାଇନା ଏବେ ଏକ ବଡ ଖୁଲାସା କରିଛନ୍ତି ଯାହା ପ୍ରଶଂସକମାନଙ୍କୁ ସ୍ତବ୍ଧ କରିଦେଇଛି।
“ଧୋନି-ଧୋନି…” ସହିତ ପ୍ରକମ୍ପିତ ହୋଇଥିଲା ଷ୍ଟାଡିୟମ
ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଘରୋଇ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଭାବପ୍ରବଣ ପରାଜୟ ବରଣ କରିଥିଲା। ଫିଟନେସ୍ ସମସ୍ୟା ଯୋଗୁଁ ଧୋନି ଏହି ମ୍ୟାଚ୍ ପାଇଁ ପ୍ଲେଇଂ ଇଲେଭେନର ଅଂଶ ନଥିଲେ। ତଥାପି, ଇନିଂସ ବିରତି ସମୟରେ ଧୋନି ଏକ ଦଳୀୟ ଫଟୋ ପାଇଁ ପଡ଼ିଆକୁ ଆସିବା ପରେ, ପୂରା ଚେପକ ଷ୍ଟାଡିୟମ “ଧୋନି-ଧୋନି…” ଧ୍ୱନିରେ ଫାଟିପଡିଥିଲା । ପ୍ରଶଂସକମାନେ ସତେ ଯେପରି ଆକୁଳ ନିବେଦନ କରୁଥିଲେ…ବିଦାୟ ନିଅନାହିଁ । ଆଉ ଧନ୍ୟବାଦ ଜଣାଇବା ପାଇଁ ପୂରା ପଡ଼ିଆ ପରିକ୍ରମା କରିଥିଲେ ଧୋନି। ଯେଉଁଥିରେ ନାଥିଲା କୌଣସି ବିଦାୟୀ ଭାଷଣ, ନା ମିଳିଥିଲା କିଛି ଉତ୍ତର; ଧୋନି କେବଳ ଚୁପଚାପ୍ ଷ୍ଟାଡିୟମ କଡେ କଡେ ଚାଲିବା ସହ ପ୍ରଶଂସକମାନଙ୍କୁ ହାତ ହଲାଇଥିଲେ। ଆଉ ଏହା ହିଁ ତାଙ୍କର ବିଦାୟ ଥିଲା ବୋଲି ଭାବି ଏବେ ଭାଙ୍ଗିପଡିଛନ୍ତି ଥାଲାଙ୍କ ଫ୍ୟାନ୍ସ ।
ଏହି ସମୟରେ ଷ୍ଟାର ସ୍ପୋର୍ଟସରେ କଥାବାର୍ତ୍ତା କରି ସୁରେଶ ରାଇନା ଧୋନି ତାଙ୍କୁ କହିଥିବା ତାଙ୍କ ମନର କଥା ପ୍ରକାଶ କରିଛନ୍ତି । ରାଇନା କହିଛନ୍ତି, “ମୁଁ ଧୋନିଙ୍କୁ କହିଥିଲି ଯେ ତୁମେ ଆଇପିଏଲ ୨୦୨୬ ପାଇଁ ଏକ ମିସଡ୍ କଲ୍ ଦେଇଛ, ଏହା ଗଣାଯିବ ନାହିଁ। ତୁମକୁ ଆସନ୍ତା ବର୍ଷ ଫେରିବାକୁ ପଡିବ।” ଧୋନି ମୁରୁକି ହସି ହୃଦୟଙ୍ଗମ କରି କହିଲେ, “ମୋ ଶରୀର ଏବେ ଆଉ ସାଥ୍ ଦେଉନି, ଟିକେ ଦୁର୍ବଳ ହୋଇଗଲାଣି” । କିନ୍ତୁ ରାଇନା ଏଥିରେ ସନ୍ତୁଷ୍ଟ ନହୋଇ ପୁଣି କହିଥିଲେ, “ଆମେ ତୁମେ ଯାହା କହୁଛ ତାହା ବିଶ୍ୱାସ କରୁନାହୁଁ, ତୁମକୁ ଆସନ୍ତା ବର୍ଷ ଖେଳିବାକୁ ପଡିବ।” ତେବେ ୪୪ ବର୍ଷ ବୟସରେ, ଧୋନିଙ୍କ ଫିଟନେସ୍ ସର୍ବଦା ଆଲୋଚନାର ବିଷୟ ହୋଇଛି । ୨୦୨୬ ଆଇପିଏଲରେ ମଧ୍ୟ CSK ଧୋନି ଖେଳିବେ ଖେଳିବେ ବୋଲି ଆଶା ଲଗାଇ ରଖିଥିବା ବେଳେ ପଡିଆରେ ଝଲକ ଦେଖିବାକୁ ମିଳିନଥିଲା । ସ୍ବାସ୍ଥ୍ୟଗତ କାରଣ ପାଇଁ ୨୦୨୬ ଆଇପିଏଲରୁ ଦୂରେଇ ରହିଛନ୍ତି ଧୋନି । ତଥାପି ରାଇନା ବିଶ୍ୱାସ କରନ୍ତି ଯେ ଧୋନି ୨୦୨୭ରେ ପୁଣି ଫେରିବେ । ରାଇନାଙ୍କ ଏହି ବୟାନ ଏବେ ଆଶା ସଞ୍ଚାର କରିଛି ଯେ, ଯଦି ଥାଲା ତାଙ୍କ ଆଘାତରୁ ସୁସ୍ଥ ହୁଅନ୍ତି, ତେବେ ତାଙ୍କ ପାଖରେ ଆଉ ଏକ ସିଜିନ୍ ଖେଳିବାର ଉତ୍ସାହ ରହିଛି। ଚେପକ ବିଦାୟୀ ପରିବେଶରେ, ଯେଉଁଠାରେ ସମସ୍ତେ ନିରାଶ ହୋଇଥିଲେ, ସେଠି ରାଇନାଙ୍କ ଏହି କେଇ ପଦ କଥା ପୁଣି ଥରେ ପ୍ରଶଂସକଙ୍କ ଆଶାକୁ ପୁନର୍ଜୀବିତ କରିଛି ଯେ ୭ ନମ୍ବର ଜର୍ସିର ଯାଦୁ ଏପର୍ଯ୍ୟନ୍ତ ଫିକା ପଡ଼ିନାହିଁ।