ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ନୂଆ କରି ପାଦ ଥାପୁଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ପାଇଁ ଏକ ବଡ଼ ତଥା ଆଶ୍ୱସ୍ତିକର ଖବର। ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ କଲେଜ ତଥା ବିଶ୍ୱବିଦ୍ୟାଳୟରେ ରାଗିଂକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଜାତୀୟ ମାନବାଧିକାର କମିଶନ ଏବଂ ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି କ୍ୟାମ୍ପସରେ ରାଗିଂ ବିରୋଧୀ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର, ଡିଗ୍ରୀ, ସଂସ୍କୃତ ଏବଂ ଶିକ୍ଷକ ଶିକ୍ଷା କଲେଜର ଅଧ୍ୟକ୍ଷମାନଙ୍କୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି।
ଏହି ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ରାଗିଂମୁକ୍ତ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।
ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ତୁରନ୍ତ ରାଗିଂ ବିରୋଧୀ କମିଟି, ରାଗିଂ ନିରୋଧୀ ସ୍କ୍ୱାଡ୍ ଏବଂ ମନିଟରିଂ ସେଲ୍ ପୁନର୍ଗଠନ କରି ତାହାକୁ ସକ୍ରିୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରାବାସ ଏବଂ କ୍ୟାମ୍ପସର ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ୨୪ ଘଣ୍ଟିଆ ସର୍ଭେଲାନ୍ସ ଅବା କଡ଼ା ନଜର ରଖାଯିବ। କେବଳ ସେତିକି ନୁହେଁ, ନିୟମିତ ଏବଂ ଅତର୍କିତ ଯାଞ୍ଚ କରାଯାଇ ଏହାର ରେକର୍ଡ ରଖିବା ବାଧ୍ୟତାମୂଳକ କରାଯାଇଛି। ସାମାଜିକ ସମାନତାକୁ ଦୃଷ୍ଟିରେ ରଖି ରାଗିଂ ବିରୋଧୀ କମିଟିରେ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରତିନିଧିମାନଙ୍କୁ ସାମିଲ କରିବାକୁ ସ୍ପଷ୍ଟ କୁହାଯାଇଛି। ନିୟମ ସଠିକ୍ ଭାବେ ପାଳନ ହେଉଥିବା ନେଇ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ ନିଜେ ପ୍ରମାଣପତ୍ର ଦେବାକୁ ପଡ଼ିବ।
କୌଣସି ଛାତ୍ର ଅବା ଛାତ୍ରୀ ରାଗିଂର ଶିକାର ହେଲେ, ତାହାର ତୁରନ୍ତ ତଦନ୍ତ ପାଇଁ ଏକ ତିନି ସ୍ତରୀୟ ବ୍ୟବସ୍ଥା ଲାଗୁ କରାଯାଇଛି। ଇନଷ୍ଟିଟ୍ୟୁସନାଲ୍ ସେଲ୍, ମନିଟରିଂ ଏଜେନ୍ସି ଏବଂ ଆବଶ୍ୟକ ସ୍ଥଳେ ଜିଲ୍ଲା ସ୍ତରୀୟ କମିଟି ଜରିଆରେ ଅଭିଯୋଗର ତର୍ଜମା କରାଯିବ। ଏହି ପ୍ରକ୍ରିୟାରେ ପୀଡ଼ିତ ଛାତ୍ରଛାତ୍ରୀଙ୍କ ମତାମତକୁ ସର୍ବୋଚ୍ଚ ପ୍ରାଥମିକତା ମିଳିବ।
କେବଳ ଶାରୀରିକ ନିର୍ଯାତନା ନୁହେଁ, ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ବିଭାଗ ବିଶେଷ ଗୁରୁତ୍ୱ ଦେଇଛି। ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ୟାମ୍ପସରେ କାଉନସେଲିଂ ଏବଂ ମାନସିକ ସ୍ୱାସ୍ଥ୍ୟ ସହାୟତା ବ୍ୟବସ୍ଥା ଉପଲବ୍ଧ କରାଇବାକୁ କୁହାଯାଇଛି। ନୂତନ ଛାତ୍ରଛାତ୍ରୀଙ୍କ ମନରୁ ଭୟ ଦୂର କରିବା ଏବଂ ସେମାନଙ୍କୁ ସହଜ ଅନୁଭବ କରାଇବା ପାଇଁ ସ୍ୱତନ୍ତ୍ର ସଚେତନତା ଏବଂ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ ରହିଛି।
ୟୁଜିସିର ୨୦୦୯ ନିୟମାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରି ଏକ ସୁସ୍ଥ ଏବଂ ନିର୍ଭୟ ଶିକ୍ଷା ପରିବେଶ ସୃଷ୍ଟି କରିବା ଦିଗରେ ଉଚ୍ଚ ଶିକ୍ଷା ବିଭାଗର ଏହି ପଦକ୍ଷେପ କ୍ୟାମ୍ପସଗୁଡ଼ିକୁ ସମ୍ପୂର୍ଣ୍ଣ ରାଗିଂମୁକ୍ତ କରିବ ବୋଲି ଆଶା କରାଯାଉଛି।