Latest Odisha News

BREAKING NEWS

ଓପିଜିସିର ୟୁନିଟ୍-୧ର ଆଧୁନିକୀକରଣ କାର୍ଯ୍ୟ; PPAର ଅବଧି ୨୦୪୧ ପର୍ଯ୍ୟନ୍ତ ବୃଦ୍ଧି

ଇବ ଥର୍ମାଲ: ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ୍ (OPGC) ରଷ୍ଟେଜ୍-୧ (୨x୨୧୦ମେଗାୱାଟ୍) ଉତ୍ପାଦନ ୟୁନିଟ୍‌ ଗୁଡ଼ିକର ବ୍ୟାପକ ଆଧୁନିକୀକରଣ (R&M) କାର୍ଯ୍ୟ ସଫଳତାର ସହ ସମାପ୍ତ ହୋଇଛି। ଏହା ରାଜ୍ୟର ବିଦ୍ୟୁତଶକ୍ତି ଭିତ୍ତିଭୂମିର ସ୍ଥାୟୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ସ୍ଟୋନ ଭାବେ ଚିହ୍ନିତ ହୋଇଛି।

କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୟୁନିଟ୍‌ ବର୍ତ୍ତମାନ ପୂର୍ଣ୍ଣକ୍ଷମତାରେ ପରିଚାଳିତ ହେଉଛି।ଏହାର କାର୍ଯ୍ୟଦକ୍ଷତାରେ ଉନ୍ନତି ପରିଲକ୍ଷିତ ହୋଇଛି। ୟୁନିଟ୍-୨ର R&M କାର୍ଯ୍ୟ ଗତବର୍ଷ ମାର୍ଚ୍ଚ ୨୦୨୫ରେ ସମାପ୍ତ ହୋଇଥିଲା।

ଇବ ଥର୍ମାଲ ପାୱାର ଷ୍ଟେସନ୍‌ରେ ଅବସ୍ଥିତ ଷ୍ଟେଜ୍- ୧ ଅଧୀନରେ ଦୁଇଟି ୨୧୦ ମେଗାୱାଟ ୟୁନିଟ୍ ରହିଛି। ଯାହା ୧୯୯୪ ଓ ୧୯୯୬ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା।୩୦ ବର୍ଷରୁ ଅଧିକ ସମୟ ଧରି ନିରନ୍ତର ସେବା ପ୍ରଦାନ କରିଥିବା ଏହି ପୁରୁଣା ୟୁନିଟ୍ ଗୁଡ଼ିକର ଦୀର୍ଘମିଆଦୀ କାର୍ଯ୍ୟଦକ୍ଷତା ଓ ସ୍ଥିରତା ବଜାୟ ରଖିବା ପାଇଁ ଆବଶ୍ୟକ ଇଞ୍ଜିନିୟରିଂ ହସ୍ତକ୍ଷେପ ଦରକାର ଥିଲା। ବିଦ୍ୟୁତ କ୍ରେତାଙ୍କ ଆନୁଷ୍ଠାନିକ ସମ୍ମତି ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC)ଙ୍କ ଅନୁମୋଦନ ପରେ ଏହି ବ୍ୟାପକ ଯାନ୍ତ୍ରିକ ଉନ୍ନୟନ କାର୍ଯ୍ୟ ସମ୍ପାଦିତ ହୋଇଥିଲା।

ଓପିଜିସି ଏହି ପ୍ରକଳ୍ପ ପାଇଁ ଦୀର୍ଘ ମିଆଦୀ ନିୟାମକ ସମର୍ଥନ ମଧ୍ୟ ହାସଲ କରିଛି। ଷ୍ଟେଜ୍-୧ ୟୁନିଟ୍‌ଗୁଡ଼ିକ ସହ ସଂପୃକ୍ତ ପାୱାର ପର୍ଚେଜ୍ ଏଗ୍ରିମେଣ୍ଟ (PPA), ଯାହାର ଅବଧି ୩୦ ଜୁନ୍ ୨୦୨୬ରେ ଶେଷ ହେବାକୁ ଥିଲା, ତାହାକୁ ଅଧିକ ୧୫ ବର୍ଷ ପାଇଁ ଆନୁଷ୍ଠାନିକ ଭାବରେ ବୃଦ୍ଧି କରାଯାଇଛି।

ନୂତନ ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ, PPA ବର୍ତ୍ତମାନ ୩୦ ଜୁନ୍ ୨୦୪୧ ପର୍ଯ୍ୟନ୍ତ ବୈଧ ରହିବ।ଯାହା ଆସନ୍ତା ପ୍ରାୟ ଦୁଇ ଦଶନ୍ଧି ଧରି ରାଜ୍ୟ ପାଇଁ ଗ୍ରିଡ୍ ସ୍ଥିରତା ଏବଂ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ସୁନିଶ୍ଚିତ କରିବ।

 

Leave A Reply

Your email address will not be published.