ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ। ଏହାରି ମଧ୍ୟରେ ପାଣିପାଗ ବିଭାଗ ଆକଳନ କରିଛି ଯେ ରାଜ୍ୟରେ ଆଉ ୫ ଦିନ ପର୍ଯ୍ୟନ୍ତ ହିଟ୍ ୱେଭ୍ ଜାରି ରହିବ।
ରାଜ୍ୟରେ ପ୍ରବଳ ତାତି ଓ ଗୁଳୁଗୁଳି ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆହୁରି ୫ ଦିନ ଯାଏଁ ପ୍ରବଳ ଗରମ ଅନୁଭୂତ ହେବ। ୪୦° ର ତାପମାତ୍ରା ୪୫° ଡିଗ୍ରୀ ପରି ଅନୁଭୂତ ହେବ। ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ଗୁଳୁଗୁଳି ଅଧିକ ହେବ। ସେହିପରି ତାତି ମଧ୍ୟ ଅଧିକ ରହିବ।
ଅପରପକ୍ଷରେ ଓଡ଼ିଶାକୁ ମନସୁନ୍ ଛୁଇଁବା ନେଇ କୌଣସି ପୂର୍ବାନୁମାନ ହୋଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ତେବେ
ପଶ୍ଚିମରେ ଅତ୍ୟଧିକ ଗ୍ରୀଷ୍ମ ପ୍ରକୋପ ଅସ୍ୱାଭାବିକ ସ୍ଥିତି ସୃଷ୍ଟି କରିଛି । ଝାଞ୍ଜିରେ ସମଗ୍ର ପଶ୍ଚିମ ଓଡ଼ିଶା ଜଳୁଥିବା ବେଳେ ଉପକୂଳରେ ଗୁଳୁଗୁଳି ଯନ୍ତ୍ରଣା ଅସମ୍ଭାଳ ହୋଇଯାଇଛି।
ଏପଟେ ଆଜି ଅପରାହ୍ଣରେ କାଳବୈଶାଖୀ ପବନ ସହ ବିଜୁଳି, ଘଡ଼ଘଡ଼ି ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।
୨୦ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଦକ୍ଷିଣ, ଉତ୍ତର ଓ ଉପକୂଳ ଓଡ଼ିଶାକୁ ସତର୍କ ସୂଚନା ଦିଆଯାଇଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିମି. ରହିପାରେ ବୋଲି କୁହାଯାଉଛି।