ବ୍ୟବସ୍ଥାର ବିକଳ ଚିତ୍ର; କେନ୍ଦୁଝରର ଜିତୁ ମୁଣ୍ଡା ଘଟଣାର ପୁନାରୁବୃତି! ପେନସନ୍ ଟଙ୍କା ପାଇଁ ଶାଶୂଙ୍କୁ ପିଠିରେ ବୋହିଲେ ବୋହୂ
ରାୟପୁର: ନିକଟରେ କେନ୍ଦୁଝର ଜିତୁ ମୁଣ୍ଡା କିପରି କଙ୍କାଳ ବୋହି ନେଇ ତାଙ୍କ ମୃତ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଯାଇଥିଲେ। ଯାହା ବ୍ୟବସ୍ଥାର ବିକଳ ଚିତ୍ରକୁ ଦର୍ଶାଇଥିଲା। ଏବେ ସେହିପରି ଏକ ଘଟଣା ପଡ଼ୋଶୀ ରାଜ୍ୟ ଛତିଶଗଡକୁ ଆସିଛି।
ଘରେ ଘରେ ସରକାରୀ ସୁବିଧା ପହଞ୍ଚାଇବାର ବଡ଼ ବଡ଼ ଦାବି ଭିତରେ, ଛତିଶଗଡ଼ରୁ ଏମିତି ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି ଯାହା ଦେଖିଲେ ଯେକେହି ବି ଭାବପ୍ରବଣ ହୋଇଯିବ। ପ୍ରଚଣ୍ଡ ଖରା, ଅଙ୍କାବଙ୍କା ପଥୁରିଆ ଜଙ୍ଗଲ ରାସ୍ତା ଆଉ ନଈନାଳ ପାର ହୋଇ ଜଣେ ମହିଳା ନିଜ ୯୦ ବର୍ଷର ବୃଦ୍ଧା ଶାଶୂଙ୍କୁ ପିଠିରେ ବୋହି ବୋହି ନେଉଛନ୍ତି। ଉଦ୍ଦେଶ୍ୟ କେବଳ ଗୋଟିଏ, ବ୍ୟାଙ୍କରୁ ଶାଶୂଙ୍କର ଭତ୍ତା ବା ପେନସନ୍ ଟଙ୍କା ଉଠାଇବେ।
ଏହି ହୃଦୟ ବିଦାରକ ଘଟଣାଟି ଘଟିଛି ଛତିଶଗଡ଼ର ସରଗୁଜା ଜିଲ୍ଲା ଅନ୍ତର୍ଗତ ମୈନପାଟ୍ ଅଞ୍ଚଳରେ। ସୁଖମାନିଆ ବାଇ ନାମକ ଆଦିବାସୀ ମହିଳା ନିଜ ବୃଦ୍ଧା ଶାଶୂ ସୋନୱାରୀଙ୍କୁ ପିଠିରେ ଲଦି ପ୍ରାୟ ୯ କିଲୋମିଟର ରାସ୍ତା ଚାଲି ଚାଲି ଅତିକ୍ରମ କରିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶାସନିକ ଅବହେଳା ଉପରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଆପଣ ଭାବୁଥିବେ ଏମିତି କି ଅସୁବିଧା ପଡ଼ିଲା ଯେ ଜଣେ ବୃଦ୍ଧାଙ୍କୁ ଏଭଳି ଅବସ୍ଥାରେ ବ୍ୟାଙ୍କକୁ ଯିବାକୁ ପଡ଼ିଲା? ଭାଇରାଲ୍ ଭିଡିଓରେ ସୁଖମାନିଆ ନିଜେ ଏହାର ଉତ୍ତର ଦେଉଛନ୍ତି। ସେ କହୁଛନ୍ତି ଯେ, ବୃଦ୍ଧା ଶାଶୂ ବ୍ୟାଙ୍କରେ ଶାରୀରିକ ଭାବେ ଉପସ୍ଥିତ ହୋଇ ଟିପ ଚିହ୍ନ କିମ୍ବା ପରିଚୟ ନଦେଲେ ପେନସନ୍ ଟଙ୍କା ମିଳିବ ନାହିଁ। ଗାଁକୁ ଭଲ ରାସ୍ତା ନାହିଁ, ଆଉ ବାଟରେ ନଈ ପଡ଼ୁଥିବାରୁ କୌଣସି ଗାଡ଼ିମୋଟର ବି ଯାଇପାରେନାହିଁ। ପୂର୍ବରୁ ଜଣେ ‘ବ୍ୟାଙ୍କ୍ ମିତ୍ର’ ଗାଁକୁ ଆସି ଘରେ ପେନସନ୍ ଟଙ୍କା ଦେଇଯାଉଥିଲେ। କିନ୍ତୁ ଗତ କିଛି ମାସ ହେବ ସେ ଆସିବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ତେଣୁ ବାଧ୍ୟ ହୋଇ କେବଳ ମାତ୍ର ୧୫୦୦ ଟଙ୍କାର ପେନସନ୍ ପାଇଁ ତାଙ୍କୁ ନିଜ ଶାଶୂଙ୍କୁ ପିଠିରେ ବୋହି ଏତେ ବାଟ ଯିବାକୁ ପଡ଼ିଲା।
ଏହି ଦୃଶ୍ୟ ଆମକୁ ଟିଭି ସିରିଏଲର ‘ବିକ୍ରମ-ବେତାଳ’ କାହାଣୀ ପରି ଲାଗୁଥିଲେ ବି ଏହା ହେଉଛି ଆମ ଦେଶର ଉପାନ୍ତ ଅଞ୍ଚଳର ଏକ ନିଷ୍ଠୁର ବାସ୍ତବତା। ଏତେ କଷ୍ଟ କରି ବ୍ୟାଙ୍କରେ ପହଞ୍ଚିବା ପରେ ଶେଷରେ ତାଙ୍କୁ ୩ ମାସର ବକେୟା ୧୫୦୦ ଟଙ୍କା ମିଳିଥିଲା।
ଏହି ଘଟଣା ଚାରିଆଡ଼େ ପ୍ରଘଟ ହେବା ପରେ ବ୍ୟାଙ୍କର ଅଧିକାରୀମାନେ ଏବେ ସଫେଇ ଦେଇଛନ୍ତି। ସେମାନେ କହିଛନ୍ତି ଯେ ଆଗକୁ ବୃଦ୍ଧାଙ୍କୁ ଆଉ ବ୍ୟାଙ୍କକୁ ଆସିବାକୁ ପଡ଼ିବ ନାହିଁ ଏବଂ ବ୍ୟାଙ୍କ ମିତ୍ରଙ୍କ ଜରିଆରେ ତାଙ୍କ ଘରେ ପେନସନ୍ ପହଞ୍ଚାଇ ଦିଆଯିବ।