ରାସ୍ତାରେ ଯାଉଥିବା ସମୟରେ ଆପଣ ନିଶ୍ଚୟ ଲକ୍ଷ୍ୟ କରିଥିବେ ଯେ ଗାଡ଼ିର ରଙ୍ଗ ଯାହା ବି ହୋଇଥାଉ ନା କାହିଁକି ଟାୟାର୍ କିନ୍ତୁ ସବୁବେଳେ କଳା ରଙ୍ଗର ହିଁ ହୋଇଥାଏ। କଣ ଆପଣ କେବେ ଭାବିଛନ୍ତି ଏପରି କାହିଁକି ହୁଏ? ଟାୟାରର ରଙ୍ଗ ନାଲି ଧଳା କିମ୍ବା ହଳଦିଆ କାହିଁକି ହୁଏ ନାହିଁ? ଏହା ପଛରେ କେବଳ ଡିଜାଇନ୍ ନୁହେଁ ବରଂ ଏକ ବଡ଼ ବିଜ୍ଞାନ ଏବଂ ଟାୟାରର ମଜବୁତିର ରହସ୍ୟ ଲୁଚି ରହିଛି।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆରମ୍ଭରୁ ଟାୟାରଗୁଡ଼ିକ କଳା ରଙ୍ଗର ନଥିଲା। ପ୍ରାଥମିକ ଅବସ୍ଥାରେ ଯେତେବେଳେ ଟାୟାର୍ ତିଆରି କରାଯାଉଥିଲା ସେତେବେଳେ ଏହାର ରଙ୍ଗ ଧଳା ଥିଲା। କାରଣ ଏହା ପ୍ରାକୃତିକ ରବରରୁ ତିଆରି ହେଉଥିଲା। ପ୍ରାକୃତିକ ରବରର ରଙ୍ଗ ଧଳା ହୋଇଥାଏ। କିନ୍ତୁ ସମୟ ସହିତ କମ୍ପାନୀଗୁଡ଼ିକ ଅନୁଭବ କଲେ ଯେ ଧଳା ଟାୟାର୍ ବହୁତ ଶୀଘ୍ର ଘୋରି ହୋଇଯାଉଛି ଏବଂ ଅଧିକ ମଜବୁତ ନୁହେଁ।
ଏହି ସମସ୍ୟାକୁ ଦୂର କରିବା ପାଇଁ ଟାୟାର୍ ତିଆରି ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରାଗଲା। ରବର ସହିତ ଏକ ସ୍ୱତନ୍ତ୍ର ପଦାର୍ଥ ମିଶାଗଲା ଯାହାର ନାମ ହେଉଛି କାର୍ବନ୍ ବ୍ଲାକ୍। ଏହି କାର୍ବନ୍ ବ୍ଲାକ୍ ମିଶିବା ପରେ ରବରର ରଙ୍ଗ ସମ୍ପୂର୍ଣ୍ଣ କଳା ହୋଇଗଲା। ତେବେ ଏହାର କାମ କେବଳ ରଙ୍ଗ ବଦଳାଇବା ନୁହେଁ। କାର୍ବନ୍ ବ୍ଲାକ୍ ଟାୟାରକୁ ଅତ୍ୟଧିକ ମଜବୁତ ଏବଂ ଦୀର୍ଘସ୍ଥାୟୀ କରିଥାଏ। ଏହା ଯୋଗୁଁ ଟାୟାର୍ ସହଜରେ ଛିଣ୍ଡି ନଥାଏ।
ରାସ୍ତାରେ ଗାଡ଼ି ଚାଲିବା ସମୟରେ ଟାୟାର୍ ବହୁତ ଗରମ ହୋଇଯାଏ। ଯଦି ରବରରେ କାର୍ବନ୍ ବ୍ଲାକ୍ ନମିଶାଯିବ ତେବେ ଟାୟାର୍ ଶୀଘ୍ର ଫାଟିଯିବାର ଆଶଙ୍କା ଥାଏ। କାର୍ବନ୍ ବ୍ଲାକ୍ ଟାୟାରରୁ ବାହାରୁଥିବା ଉତ୍ତାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହା ସହିତ ଖରାର ଅତିବାଇଗଣୀ ରଶ୍ମିରୁ ମଧ୍ୟ ଏହା ଟାୟାରକୁ ସୁରକ୍ଷା ଦେଇଥାଏ।
କଳା ଟାୟାର୍ କେବଳ ଦୀର୍ଘସ୍ଥାୟୀ ନୁହେଁ ବରଂ ଏହା ସୁରକ୍ଷା ସହିତ ମଧ୍ୟ ଜଡ଼ିତ। କାର୍ବନ୍ ବ୍ଲାକ୍ ଯୋଗୁଁ ରାସ୍ତା ଉପରେ ଟାୟାରର ଗ୍ରିପ୍ ବା ପକଡ଼ ବହୁତ ଭଲ ରହେ। ଏହାଦ୍ୱାରା ବ୍ରେକିଂ ବ୍ୟବସ୍ଥା ମଜବୁତ ହୁଏ ଏବଂ ଗାଡ଼ି ଉପରେ ନିୟନ୍ତ୍ରଣ ରଖିବା ସହଜ ହୋଇଥାଏ। ଏହି ସବୁ କାରଣରୁ ହିଁ ଆଜିର ସମୟରେ ଦୁନିଆର ପ୍ରାୟ ସବୁ ଗାଡ଼ିରେ କେବଳ କଳା ରଙ୍ଗର ଟାୟାର୍ ବ୍ୟବହାର କରାଯାଉଛି।