ଭୁବନେଶ୍ୱର: ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ରାଜନୈତିକ ମହଲରେ କ୍ୟାବିନେଟ୍ ସଂପ୍ରସାରଣ ଚର୍ଚ୍ଚା ପୁଣି ଜୋର ଧରିଛି। ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ କି, କିଛି ନୂଆ ବିଧାୟକଙ୍କୁ ସୁଯୋଗ ମିଳିବ କି, ଏହାକୁ ନେଇ ଦଳ ଭିତରେ ଓ ବାହାରେ ଆଲୋଚନା ବଢ଼ିଛି।
ସୂଚନା ଅନୁସାରେ, ସରକାରର ଦୁଇ ବର୍ଷ ପୂର୍ତ୍ତି ପୂର୍ବରୁ ମନ୍ତ୍ରିମଣ୍ଡଳକୁ ଆହୁରି ସୁଦୃଢ଼ କରିବା ନେଇ ଦଳୀୟ ସ୍ତରରେ ବିଚାରବିମର୍ଶ ଚାଲିଛି। କେତେକ ବରିଷ୍ଠ ବିଧାୟକ ଓ ନୂଆ ମୁହଁ ଏବେ ଚର୍ଚ୍ଚାର କେନ୍ଦ୍ରରେ ଅଛନ୍ତି। ତେବେ ଏନେଇ ଏପର୍ଯ୍ୟନ୍ତ ସରକାର କିମ୍ବା ବିଜେପି ପକ୍ଷରୁ କୌଣସି ଅଧିକୃତ ଘୋଷଣା ହୋଇନାହିଁ।
ଚର୍ଚ୍ଚାରେ ଥିବା ନାମମାନଙ୍କ ମଧ୍ୟରେ ଡାକ୍ତର ଫକୀର ମୋହନ ନାୟକ, ଇରାଶିଷ ଆଚାର୍ଯ୍ୟ, ଉମା ଚରଣ ମଲ୍ଲିକ, ସିଦ୍ଧାନ୍ତ ମହାପାତ୍ର, ଦୁର୍ଗା ପ୍ରସନ୍ନ ନାୟକ, ପ୍ରକାଶ ଚନ୍ଦ୍ର ସେଠୀ ଓ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନାମ ଉଠୁଛି। ଏହି ବିଧାୟକମାନଙ୍କ ଅଭିଜ୍ଞତା, ସଂଗଠନରେ ଭୂମିକା ଓ ଅଞ୍ଚଳୀୟ ସମୀକରଣକୁ ନେଇ ରାଜନୈତିକ ମହଲରେ ଆକଳନ ଚାଲିଛି।
ବିଜେପି ଶିବିରରେ ଏହା ମଧ୍ୟ ଆଲୋଚନା ହେଉଛି ଯେ, ମନ୍ତ୍ରିମଣ୍ଡଳରେ ଖାଲିଥିବା ପଦଗୁଡ଼ିକୁ ପୂରଣ କରି ସରକାରକୁ ଆହୁରି କାର୍ଯ୍ୟକ୍ଷମ କରାଯାଇପାରେ। ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳକୁ ପ୍ରତିନିଧିତ୍ୱ ଦେବା ଓ ଦଳୀୟ ସଂଗଠନକୁ ମଜବୁତ କରିବା ଏହି ଅଦଳବଦଳର ମୁଖ୍ୟ ଲକ୍ଷ୍ୟ ହୋଇପାରେ ବୋଲି କୁହାଯାଉଛି।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୂର୍ବରୁ ମଧ୍ୟ କ୍ୟାବିନେଟ୍ ବିସ୍ତାର ଚର୍ଚ୍ଚାକୁ ନେଇ ସଙ୍କେତ ଦେଇଥିଲେ। ତାଙ୍କ ମତରେ, ଦଳ ଭିତରେ ସବୁ ଦିଗକୁ ଭାବି ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ମୋହନ ମାଝୀ ସରକାରଙ୍କ କ୍ୟାବିନେଟ୍ରେ କିଛି ପଦ ଖାଲି ଥିବାରୁ ନୂଆ ଚେହେରାଙ୍କୁ ସାମିଲ କରିବା ଦାବି ମଧ୍ୟ ବଢ଼ୁଛି।
କେବଳ ଖାଲି ପଦ ପୂରଣ ନୁହେଁ, ଆଗାମୀ ରାଜନୈତିକ ରଣନୀତିକୁ ଆଖି ଆଗରେ ରଖି ମଧ୍ୟ ଏହି ସଂପ୍ରସାରଣ ହୋଇପାରେ। ଅଞ୍ଚଳୀୟ ସନ୍ତୁଳନ, ଜାତିଗତ ସମୀକରଣ, ଅଭିଜ୍ଞତା ଓ ସଂଗଠନୀୟ ଦକ୍ଷତାକୁ ଏଥିରେ ଗୁରୁତ୍ୱ ଦିଆଯାଇପାରେ।
ବଡ଼ କଥା ହେଉଛି କେନ୍ଦ୍ରରେ ମୋଦି ସରକାର ମଧ୍ୟରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିବାକୁ ଯାଉଛନ୍ତି। ଓଡିଶାରୁ କିଛି ସାଂସଦ ମଧ୍ୟ ଏଥିରେ ଯୋଡ଼ି ହୋଇପାରନ୍ତି। ସେହିପରି ଦଳର କିଛି ବିଧାୟକ ଦିଲ୍ଲୀରେ ଥିବା ନେଇ ସୂଚନା ରହିଛି। ତେଣୁ ଏସମସ୍ତଙ୍କ ସହ କେନ୍ଦ୍ର ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ଆଲୋଚନା କରି ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି।