ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂହ ଓ ଫିଲ୍ମ ନିର୍ମାତା ଫରହାନ୍ ଅଖତରଙ୍କ ମଧ୍ୟରେ ‘ଡନ୍ ୩’କୁ ନେଇ ବିବାଦ ଏବେ ନୂଆ ମୋଡ଼ ନେଇଛି। ଫିଲ୍ମର ଶୁଟିଂ ଆରମ୍ଭ ହେବାର ମାତ୍ର ୩ ସପ୍ତାହ ପୂର୍ବରୁ ରଣବୀର ଏହି ପ୍ରୋଜେକ୍ଟରୁ ହଟିଯାଇଥିବା ନେଇ ଫିଲ୍ମ ନିର୍ମାତା ଅଭିଯୋଗ କରିଛନ୍ତି। ଏହା ଫଳରେ ପ୍ରୋଡକ୍ସନ୍ ହାଉସ୍କୁ ପ୍ରାୟ ୪୫ କୋଟି ଟଙ୍କା କ୍ଷତି ହୋଇଥିବା ରିପୋର୍ଟରେ କୁହାଯାଇଛି।
ରିପୋର୍ଟ ଅନୁସାରେ, ଫରହାନ୍ ଅଖତର ଓ ରିତେଶ ସିଧୱାନୀଙ୍କ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ସହ ରଣବୀର ସିଂହ ୩ଟି ଫିଲ୍ମ ପାଇଁ ଚୁକ୍ତି କରିଥିଲେ। ସେହି ଚୁକ୍ତିର ପ୍ରଥମ ଫିଲ୍ମ ଥିଲା ‘ଡନ୍ ୩’। ମେକର୍ସଙ୍କ ଦାବି, ଫିଲ୍ମର ସ୍କ୍ରିପ୍ଟ, ଅପଡେଟ୍ ଓ ଅନ୍ୟାନ୍ୟ ପ୍ରସ୍ତୁତି ସମ୍ପର୍କରେ ରଣବୀରଙ୍କ ସମ୍ମତି ଥିଲା। ଏହାକୁ ଭରସା କରି ବଡ଼ ବଜେଟ୍ ଧରାଯାଇଥିଲା, ବିଦେଶୀ ଲୋକେସନ୍ ଫାଇନାଲ୍ ହୋଇଥିଲା ଓ କ୍ରୁ ମେମ୍ବରଙ୍କୁ ଆଗୁଆ ପେମେଣ୍ଟ ମଧ୍ୟ ଦିଆଯାଇଥିଲା।
କିନ୍ତୁ ସୁଟିଂ ପାଇଁ ପୂରା ୟୁନିଟ୍ ଯାଉଥିବା ସମୟରେ ରଣବୀର ପ୍ରୋଜେକ୍ଟରୁ ହଟିଯାଇଥିବା କୁହାଯାଉଛି। ଏହାକୁ ନେଇ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ FWICE ପାଖରେ ଅଭିଯୋଗ କରିଥିଲା। ଏହା ପରେ ଫେଡେରେସନ୍ ପକ୍ଷରୁ ରଣବୀରଙ୍କୁ ୩ଥର ଅଫିସିଆଲ୍ ରିମାଇଣ୍ଡର୍ ନୋଟିସ୍ ପଠାଯାଇଥିଲା। ତେବେ ସେହି ନୋଟିସ୍ଗୁଡ଼ିକର ଉତ୍ତର ନ ମିଳିବା ପରେ FWICE ରଣବୀରଙ୍କ ବିରୋଧରେ ନନ୍ କୋଅପରେସନ୍ ନୋଟିସ୍ ଜାରି କରିଛି।
FWICEର ଏହି ପଦକ୍ଷେପର ଅର୍ଥ ହେଉଛି, ଫେଡେରେସନ୍ ସହିତ ଜଡ଼ିତ କର୍ମଚାରୀ ଓ ଟେକ୍ନିସିଆନ୍ମାନେ ରଣବୀରଙ୍କ ସହ କାମ କରିବେ ନାହିଁ। ଏହି ସଂଗଠନ ଅଧୀନରେ ଲାଇଟମ୍ୟାନ୍, ସ୍ପଟ ବୟ, ମେକଅପ୍ ଆର୍ଟିଷ୍ଟ, କ୍ୟାମେରାମ୍ୟାନ୍ ଓ ସେଟ୍ କର୍ମଚାରୀଙ୍କ ସମେତ ପ୍ରାୟ ୫ ଲକ୍ଷ ଫିଲ୍ମ କର୍ମୀ ଆସନ୍ତି। ସେଥିପାଇଁ ଏହି ବିବାଦ ରଣବୀରଙ୍କ ଆଗାମୀ ଫିଲ୍ମ ପ୍ରୋଜେକ୍ଟ ଉପରେ ପ୍ରଭାବ ପକାଇପାରେ।
ରଣବୀର ‘ଡନ୍ ୩’ କାହିଁକି ଛାଡ଼ିଲେ, ଏନେଇ ତାଙ୍କ ପକ୍ଷରୁ ସ୍ପଷ୍ଟ ଭାବେ ବିସ୍ତୃତ କଥା କୁହାଯାଇନାହିଁ। କିନ୍ତୁ ଅନେକ ରିପୋର୍ଟରେ ‘କ୍ରିଏଟିଭ୍ ମତଭେଦ’କୁ ଏହାର କାରଣ ବୋଲି କୁହାଯାଉଛି। ୨୦୨୪ରେ ରଣବୀରଙ୍କୁ ଏହି ଫ୍ରାଞ୍ଚାଇଜିର ନୂଆ ମୁହଁ ଭାବେ ଘୋଷଣା କରାଯାଇଥିଲା। ପରେ ଫିଲ୍ମର ସ୍କ୍ରିପ୍ଟରେ କିଛି ପରିବର୍ତ୍ତନ ହୋଇଥିବା ଓ ଫାଇନାଲ୍ ଭିଜନ୍କୁ ନେଇ ରଣବୀର ସନ୍ତୁଷ୍ଟ ନଥିବା ଦାବି କରାଯାଉଛି।
ଏହା ମଧ୍ୟରେ ରଣବୀରଙ୍କ ଫିଲ୍ମ ‘ଧୁରନ୍ଧର’ ବକ୍ସ ଅଫିସରେ ବଡ଼ ସଫଳତା ପାଇଥିଲା। ଏହା ପରେ ତାଙ୍କର ଷ୍ଟାରଡମ୍ ଓ ମାର୍କେଟ୍ ଭାଲ୍ୟୁ ଅଧିକ ବଢ଼ିଥିବା କୁହାଯାଉଛି। ରିପୋର୍ଟ ଅନୁସାରେ, ରଣବୀର କିଛି ପରିବର୍ତ୍ତନ ଚାହୁଁଥିଲେ, କିନ୍ତୁ ଫରହାନ୍ ଅଖତର ସେଥିରେ ସମ୍ମତ ନଥିଲେ। ଶେଷରେ କଥା ପ୍ରୋଜେକ୍ଟ ଛାଡ଼ିବା ପର୍ଯ୍ୟନ୍ତ ପହଞ୍ଚିଥିଲା।
ରଣବୀରଙ୍କ ପକ୍ଷରୁ ଜାରି ହୋଇଥିବା ମତାମତରେ ସେ ସମସ୍ତଙ୍କୁ ସମ୍ମାନ କରୁଥିବା କହିଛନ୍ତି। ତେବେ ଏହି ବିଷୟରେ ସେ ଆଉ କିଛି କହିବାକୁ ଚାହୁଁନାହାନ୍ତି ଓ ବର୍ତ୍ତମାନ କାମ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ଫେଡେରେସନ୍ ପକ୍ଷରୁ କୁହାଯାଇଛି, ରଣବୀର ନିଜେ ଆସି ବୈଠକ କରିବା ପର୍ଯ୍ୟନ୍ତ ଏହି ନନ୍ କୋଅପରେସନ୍ ଜାରି ରହିବ। ଏବେ ଏହି ୪୫ କୋଟି ଟଙ୍କାର ବିବାଦକୁ ଟେବୁଲ୍ରେ ବସି କିପରି ସମାଧାନ କରାଯିବ, ତାହା ଉପରେ ବଲିଉଡ୍ ମହଲର ନଜର ରହିଛି।