ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଗୋଟିଏ ରାତିରେ ଦୁଇଟି ଏନକାଉଣ୍ଟର କରିଛି। ପୋଲିସ ଗୁଳିରେ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା ଓରଫ ବିକି ଆହତ ହୋଇଛନ୍ତି। ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ରଞ୍ଜନ ଓ ସରୋଜକୁ ପୋଲିସ ବାହାର ରାଜ୍ୟରୁ ଗିରଫ କରିଥିଲା। ସେମାନଙ୍କୁ ବ୍ରହ୍ମପୁରକୁ ଆଣାଯାଉଥିବା ବେଳେ ଅଙ୍କୁଶପୁର ନିକଟରେ ଉଭୟ ପୋଲିସକୁ ଆକ୍ରମଣ କରି ଫେରାର ହେବାକୁ ଚେଷ୍ଟା କରିଥିବା ପୋଲିସ କହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଗୁଳି ଚଳାଇଥିଲା।
ଏନକାଉଣ୍ଟରରେ ରଞ୍ଜନଙ୍କ ଡାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିଛି। ସେହିପରି ସରୋଜଙ୍କ ବାମ ଗୋଡ଼ରେ ଗୁଳି ଲାଗିଛି। ଘଟଣା ପରେ ଉଭୟଙ୍କୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲକୁ ନେଇଯାଇଥିଲା।
ପୋଲିସ ସୂଚନା ଅନୁସାରେ, ଦୁଇଜଣେ ବହୁ ଚର୍ଚ୍ଚିତ ଗୋପାଳପୁର ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ମାମଲାରେ ଫେରାର ଥିଲେ। ଏହି ମାମଲାରେ ସେମାନଙ୍କୁ ସୁପାରି କିଲର ଭାବେ ସନ୍ଦେହ କରାଯାଉଥିଲା। ସରୋଜ ସୁଧିରଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦେଇଥିବା ଓ ରଞ୍ଜନ ସୁଧିରଙ୍କ ପରିବାରକୁ ଫୋନ କରି ଧମକ ଦେଉଥିବା ଅଭିଯୋଗ ରହିଛି।
ରଞ୍ଜନଙ୍କ ଘର ବରଗଡ଼ ଥାନା ଅଞ୍ଚଳର ନଉଗାଁରେ। ସରୋଜଙ୍କ ଘର ହିଞ୍ଜିଳି ଥାନା ଅଧୀନ ସିକିରୀ ପାଢ଼ୀ ସାହିରେ ବୋଲି ଜଣାପଡ଼ିଛି।
ସୁଧିର ପାତ୍ର ହତ୍ୟା ଘଟଣାରେ ପୂର୍ବରୁ ୯ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏପ୍ରିଲ ୧୫ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସୁଧିର ପାତ୍ରଙ୍କୁ ଅପହରଣ କରାଯାଇଥିଲା। ପରେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ରହିଛି।
ଏହି ହତ୍ୟାକାଣ୍ଡ ପରେ ରଞ୍ଜନ ଓ ସରୋଜ ଫେରାର ଥିଲେ। ପୋଲିସ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ତଦନ୍ତ ଓ ଚଢ଼ାଉ ଜାରି ରଖିଥିଲା। ଶେଷରେ ବାହାର ରାଜ୍ୟରୁ ଗିରଫ କରାଯିବା ପରେ ବ୍ରହ୍ମପୁର ଆଣାଯାଉଥିବା ସମୟରେ ଆଙ୍କୁଶପୁରରେ ଏହି ଏନକାଉଣ୍ଟର ଘଟିଥିବା ପୋଲିସ କହିଛି। ଏବେ ପୋଲିସ ଏନକାଉଣ୍ଟର ଘଟଣା ସହ ସୁଧିର ପାତ୍ର ହତ୍ୟାକାଣ୍ଡର ଅନ୍ୟାନ୍ୟ ଦିଗକୁ ନେଇ ତଦନ୍ତ ଜାରି ରଖିଛି।