Latest Odisha News

BREAKING NEWS

LPG ଠାରୁ ଶସ୍ତା ଇଥାନଲ୍ ଷ୍ଟୋଭ୍ !

ମୁମ୍ବାଇ: ରୋଷେଇ ଗ୍ୟାସ୍‌ ସିଲିଣ୍ଡରର ବଢୁଥିବା ଦରରୁ ଏଣିକି ମିଳିବ ମୁକ୍ତି ! ବଜାରରେ ମିଳୁଥିବା କମର୍ସିଆଲ୍ LPG ସିଲିଣ୍ଡର ଅପେକ୍ଷା ଆହୁରି ଶସ୍ତାରେ ଏବେ ହୋଇପାରିବ ରୋଷେଇ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଦେଶରେ ଏକ ଅଭିନବ ‘ଇଥାନଲ୍‌-ଆଧାରିତ ଷ୍ଟୋଭ୍‌ ଟେକ୍ନୋଲୋଜି’ର ଘୋଷଣା କରିଛନ୍ତି । ଏହି ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଷ୍ଟୋଭ୍ କମର୍ସିଆଲ୍ ଗ୍ୟାସ୍‌ ସିଲିଣ୍ଡର ତୁଳନାରେ ଅତି କମ୍ ଖର୍ଚ୍ଚରେ ରୋଷେଇ ଶିଖା ସୃଷ୍ଟି କରିପାରିବ ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ।

ନାଗପୁରରେ ଆୟୋଜିତ ‘ମିତ୍ରୋଁ କେ ବିଚ୍‌’ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏହି ନୂତନ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପାଣିରେ ମାତ୍ର ୭ ପ୍ରତିଶତ ଇଥାନଲ୍ ମିଶାଇ ଏହି ଷ୍ଟୋଭ୍‌ରେ ରୋଷେଇ ଗ୍ୟାସ୍ ଭଳି ନିଆଁ ବାହାର କରାଯାଇପାରିବ, ଯାହା ସାଧାରଣ ରୋଷେଇ ଗ୍ୟାସ୍‌ ଠାରୁ ବହୁତ ଶସ୍ତା ହେବ।

ଭାରତ ବର୍ତ୍ତମାନ ନିଜର ଆବଶ୍ୟକତା ଅନୁଯାୟୀ ପ୍ରାୟ ୮୭ ପ୍ରତିଶତ ଅଶୋଧିତ ତୈଳ ବାହାର ଦେଶରୁ ଆମଦାନୀ କରୁଛି। ତେଣୁ ଜୀବାଶ୍ମ ଇନ୍ଧନ ଉପରେ ଦେଶର ନିର୍ଭରଶୀଳତା କମାଇବା ପାଇଁ ଗଡ଼କରୀ ଦୀର୍ଘ ଦିନ ହେବ ଇଥାନଲ୍ ବ୍ଲେଣ୍ଡିଂ ବା ଇଥାନଲ୍ ମିଶ୍ରଣ ଉପରେ ଜୋର୍ ଦେଇ ଆସୁଛନ୍ତି। ଗତ ୨୦୧୪ ମସିହାରେ ପେଟ୍ରୋଲ୍‌ରେ ଇଥାନଲ୍ ମିଶ୍ରଣ ମାତ୍ର ୧.୫୩ ପ୍ରତିଶତ ଥିବାବେଳେ, ୨୦୨୫ ସୁଦ୍ଧା ଏହା ୨୦ ପ୍ରତିଶତରେ ପହଞ୍ଚିଛି।

ଏବେ ପରିବହନ କ୍ଷେତ୍ର ପରେ, ଦେଶର ପ୍ରତିଟି ଘରର ରୋଷେଇ ଶାଳକୁ ପ୍ରଦୂଷଣମୁକ୍ତ ଏବଂ ଶସ୍ତା କରିବା ପାଇଁ ଏହି ଇଥାନଲ୍-ପାଣି ଷ୍ଟୋଭ୍ ଟେକ୍ନୋଲୋଜି ଏକ ବଡ଼ ବିକଳ୍ପ ଭାବେ ଉଭା ହେବାକୁ ଯାଉଛି। ଯଦି ଏହି ପ୍ରଯୁକ୍ତିବିଦ୍ୟା ବ୍ୟବସାୟିକ ସ୍ତରରେ ସଫଳ ହୁଏ, ତେବେ ଏହା ଏଲ୍‌ପିଜି ସିଲିଣ୍ଡରର ଏକ ଶକ୍ତ ବିକଳ୍ପ ସାଜିବ।

Leave A Reply

Your email address will not be published.