Latest Odisha News

BREAKING NEWS

ପାଇଖାନା ଭିତରେ ମା-ପୁଅଙ୍କୁ ଥାନା ଅଧିକାରୀଙ୍କ ଥାର୍ଡ ଡିଗ୍ରୀ ଅଭିଯୋଗ

କେନ୍ଦ୍ରାପଡ଼ା: ପାଇଖାନା ଭିତରେ ମା’ପୁଅଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ ଓ ହାବିଲଦାର ମାଡ଼ ମାରିଥିବା ଅଭିଯୋଗ। ମା’କୁ ଅର୍ଦ୍ଧଉଲଗ୍ନ କରି ସର୍ବସମ୍ମୁଖରେ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ପୁଅର ତଣ୍ଟି ଚିପି ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ SDPOଙ୍କ ନିକଟରେ IIC ଓ ହାବିଲଦାରଙ୍କ ନାଁରେ ଅଭିଯୋଗ ହୋଇଛି। ତେବେ ଅଭିଯୋଗ ନେଇ ପୋଲିସ୍‌ର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ପାରିବାରିକ କଳହରେ ଅତିଷ୍ଠ ମା’-ପୁଅ ନ୍ୟାୟ ପାଇବା ଆଶାରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ତାଳଚୁଆ ସାମୁଦ୍ରିକ ଥାନାକୁ ଯାଇଥିଲେ। ସେଠାରେ ନ୍ୟାୟ ମିଳିବ କ’ଣ ଓଲଟା ଥାନାଧିକାରୀ ମା’-ପୁଅଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅଭିଯୋଗକାରିଣୀ ମା’ଙ୍କ ମୁଣ୍ଡରୁ ସିନ୍ଦୂର ପୋଛି ଦେଇଥିଲେ। ଖାଲି ସେତିକି ନୁହେଁ ପୁଅକୁ ମଧ୍ୟ ପାଇଖାନା ମଧ୍ୟରେ ପୂରାଇ ନିସ୍ତୁକ ମାଡ଼ ମାରିଥିଲେ। ପୋଲିସର ଏଭଳି ଦବଙ୍ଗଗିରି ବିରୋଧରେ ସ୍ୱର ଉଠାଇ ଅଭିଯୋଗ ବାଢିଛନ୍ତି ମା’-ପୁଅ। ସେମାନେ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସୁକାନ୍ତ ପାତ୍ରଙ୍କ ନିକଟରେ ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ପାରିବାରିକ ଗଣ୍ଡଗୋଳକୁ ନେଇ ରାଜନଗର ବ୍ଲକ୍‌ ବାଘମାରି ପଞ୍ଚାୟତ ଗିରିଆପାହି ଗ୍ରାମର ପବନ ମଣ୍ଡଳ ତାଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମଣ୍ଡଳ(୫୮) ଓ ପୁଅ ଅନନ୍ତ ମଣ୍ଡଳ(୩୧) ଙ୍କ ବିରୋଧରେ ତାଳଚୁଆ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଡାକରାରେ ମା’-ପୁଅ ୨୫ ତାରିଖ ସନ୍ଧ୍ୟାରେ ଥାନାକୁ ଯାଇଥିଲେ। ଥାନାରେ ପହଞ୍ଚି ଅନ୍ନପୂର୍ଣ୍ଣା ତାଙ୍କ ସ୍ୱାମୀ ପବନ ମଣ୍ଡଳଙ୍କ ବିରୋଧରେ ପାଲଟା ଅଭିଯୋଗପତ୍ର ଥାନା ଅଧିକାରୀ ସଂଧ୍ୟାରାଣୀ ଜେନାଙ୍କୁ ଦେଇଥିଲେ। ମାତ୍ର ଆଇଆଇସି ତାଙ୍କ ଅଭିଯୋଗପତ୍ର ରଖିବା ପରିବର୍ତ୍ତେ ମା’-ପୁଅଙ୍କୁ ଗାଳିଗୁଲଜ କରି ଅନ୍ନପୂର୍ଣ୍ଣାଙ୍କ ଚୁଟି ଟାଣି ଘୋଷାରିଥିଲେ। ପୁଅ ସମ୍ମୁଖରେ ତାଙ୍କୁ ଅର୍ଦ୍ଧଉଲଗ୍ନ କରି ଚାପୁଡ଼ା ମାରିବା ପରେ ମଥାରୁ ସିନ୍ଦୂର ପୋଛି ଦେଇଥିଲେ। ଏହାପରେ ଅନନ୍ତଙ୍କୁ ପାଇଖାନା ମଧ୍ୟରେ ପୂରାଇ ଅନ୍ୟ ଜଣେ କନେଷ୍ଟବଳଙ୍କ ସହିତ ନିସ୍ତୁକ ପିଟିଥିଲେ। ଅନନ୍ତଙ୍କ ତଣ୍ଟି ଚିପି ଧରିବାରୁ ସେ ଜୀବନ ବିକଳରେ ଚିତ୍କାର କରିଥିଲେ। ଏହାପରେ ଆଇଆଇସି ତାଙ୍କୁ ଛାଡ଼ି ଦେଇ ତାଙ୍କ ମୋବାଇଲ ନେଇ ଯାଇଥିବା ଅନ୍ନପୂର୍ଣ୍ଣା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।

 

Leave A Reply

Your email address will not be published.