ସୁନ୍ଦରଗଡ଼: ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ କନିଷ୍ଠ ଯନ୍ତ୍ରୀ। ସୁନ୍ଦରଗଡ଼ ସିଡିଏମ ଆଣ୍ଡ ପିଏଚଓ ଅଫିସ ଅଧୀନରେ କାର୍ଯ୍ୟରତ ଏନଏଚଏମ ଜୁନିଅର ଇଞ୍ଜିନିୟର ସୁମନ୍ତ ନାଏକଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।
ଘଟଣା ଅନୁସାରେ, ଜଣେ ଠିକାଦାର ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ କର୍ମଚାରୀଙ୍କ ବାସଗୃହ ମରାମତି କାର୍ଯ୍ୟ ଶେଷ କରିଥିଲେ। ଏହି କାମ ବାବଦ ତାଙ୍କର ସିକ୍ୟୁରିଟି ଡିପୋଜିଟ୍ ଟଙ୍କା ପାଉଣା ଆକାରରେ ବାହାରିଥିଲା। ତେବେ ଉକ୍ତ ଫାଇଲକୁ ଆଗକୁ ବଢ଼ାଇବା ପାଇଁ ଜେଇ ସୁମନ୍ତ ନାଏକ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
କାମ ସରିଯାଇଥିଲେ ମଧ୍ୟ ଲାଞ୍ଚ ପାଇଁ ଯନ୍ତ୍ରୀ ଜଣକ ଫାଇଲ ଅଟକାଇ ରଖିଥିଲେ। ବାରମ୍ବାର ଦାବି କରିବା ସତ୍ତ୍ୱେ କାମ ନ ହେବାରୁ ଶେଷରେ ଠିକାଦାର ଜଣକ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।
ଅଭିଯୋଗ ମୁତାବକ, ଭିଜିଲାନ୍ସ ଟିମ୍ ଏକ ଯୋଜନା ପ୍ରସ୍ତୁତ କରିଥିଲା। ଆଜି ଅଫିସ ଭିତରେ ଠିକାଦାରଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି।
ଏହି ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ସୁମନ୍ତ ନାଏକଙ୍କ ସମ୍ପର୍କିତ ତିନୋଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ରାଉରକେଲା ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।