Latest Odisha News

BREAKING NEWS

ବିଜେପିରେ ଯୋଗ ଦେବା ପରେ ଦେବାଶିଷ ସାମନ୍ତରାୟଙ୍କ ବଡ଼ ବୟାନ; କହିଲେ, “ଆଗକୁ ବିଜେଡିର କ’ଣ ଅବସ୍ଥା ହେବ ଦେଖିବେ”

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଛାଡ଼ି ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା ହୋଇଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ଜୁନ୍ ୧୮ ତାରିଖରେ ଏହି ଆସନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ।

ଦଳ ଛାଡ଼ିବା ପରେ ଓଡ଼ିଶା ଫେରି ଦେବାଶିଷ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। “ଆଗକୁ ବିଜେଡିର କ’ଣ ଅବସ୍ଥା ହେବ ତାହା ଦେଖିବେ” ବୋଲି କହି ସେ ଦଳୀୟ ନେତୃତ୍ୱକୁ ଖୋଲା ଚେତାବନୀ ଦେଇଛନ୍ତି। ସେପଟେ ତାଙ୍କ ରାଜ୍ୟସଭା ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ପଚରାଯିବାରୁ ସେ “ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା” ବୋଲି କହି କଥାକୁ ଏଡ଼ାଇ ଯାଇଛନ୍ତି।

ସୂଚନା ଅନୁଯାୟୀ, ଜୁନ୍ ୧ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଜୁନ୍ ୮ ତାରିଖ ଏଥିପାଇଁ ଶେଷ ତାରିଖ ରହିଛି। ଜୁନ୍ ୯ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ପ୍ରତ୍ୟାହାର କରିପାରିବେ। ସେହିପରି ଜୁନ୍ ୧୮ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ଏବଂ ସେହିଦିନ ସନ୍ଧ୍ୟାରେ ଫଳାଫଳ ପ୍ରକାଶ ପାଇବ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୫ ତାରିଖରେ ଦେବାଶିଷ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟ ପଦ ଏବଂ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଦଳ ଭିତରେ ତାଙ୍କୁ ‘ସିଷ୍ଟମାଟିକାଲି ବେଲିଟିଲ୍ଡ’ କରାଯାଉଥିବା ଅଭିଯୋଗ ଆଣି ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ। ଏହାର ପରଦିନ ହିଁ ସେ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି।

ବର୍ତ୍ତମାନ ଓଡ଼ିଶା ବିଧାନସଭାର ସଂଖ୍ୟା ଗଣିତ ଅନୁଯାୟୀ, ଏହି ଆସନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି। ଏହା ପୂର୍ବରୁ ମମତା ମହନ୍ତ ଏବଂ ସୁଜିତ କୁମାର ମଧ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ପୁନର୍ବାର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେହିପରି ଦେବାଶିଷ ସାମନ୍ତରାୟ ମଧ୍ୟ ପୁଣି ଥରେ ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.