Latest Odisha News

BREAKING NEWS

ବଢ଼ିପାରେ ବସ୍ ଭଡ଼ା ! ଡିଜେଲ୍ ଦର ବୃଦ୍ଧି ମଧ୍ୟରେ ଭଡ଼ା ବୃଦ୍ଧି ଦାବି କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର: ଓଡ଼ିଶାରେ ଘରୋଇ ବସ୍ ଭଡ଼ା ବୃଦ୍ଧି ପାଇଁ ପୁଣିଥରେ ଜୋରଦାର ଦାବି ଉଠିଛି। ଡିଜେଲ୍ ଦର ଓ ବସ୍ ଚଳାଚଳ ଖର୍ଚ୍ଚ ଲଗାତାର ବଢ଼ୁଥିବାରୁ ବର୍ତ୍ତମାନ ଭଡ଼ାରେ ସେବା ଚାଲୁ ରଖିବା କଷ୍ଟକର ହୋଇପଡ଼ିଛି ବୋଲି ଘରୋଇ ବସ୍ ମାଲିକ ସଂଘ କହିଛି। ସରକାର ଶୀଘ୍ର ଭଡ଼ା ସଂଶୋଧନ ନକଲେ ଆଗାମୀ ଦିନରେ ବସ୍ ସେବା ପ୍ରଭାବିତ ହୋଇପାରେ ବୋଲି ସଂଘ ଚେତାବନୀ ଦେଇଛି।

 

ସଂଘର କହିବା କଥା, ଡିଜେଲ୍ ଦର ସହିତ ମରାମତି, ଟାୟାର, ଲୁବ୍ରିକାଣ୍ଟ, ବ୍ୟାଙ୍କ ସୁଧ ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ବଢ଼ୁଛି। କିନ୍ତୁ ଏହା ଅନୁସାରେ ବସ୍ ଭଡ଼ାରେ ସଠିକ୍ ମୂଲ୍ୟାୟନ ହୋଇନଥିବାରୁ ମାଲିକମାନେ ଆର୍ଥିକ ଚାପରେ ଅଛନ୍ତି। ସଂଘ ସଚିବ ଦେବେନ୍ଦ୍ର ସାହୁ କହିଛନ୍ତି, ପ୍ରତିବର୍ଷ ଏପ୍ରିଲ୍ ମାସରେ ବସ୍ ଭଡ଼ା ସଂଶୋଧନ ପାଇଁ ବିଭିନ୍ନ ଖର୍ଚ୍ଚକୁ ଧ୍ୟାନରେ ନେବାକୁ ନିୟମ ରହିଛି, କିନ୍ତୁ ଗତ ୧୦ ବର୍ଷ ଧରି ଏଥିରେ ଠିକ୍ ଭାବେ ଆକଳନ ହୋଇନାହିଁ।

 

ଏହି ପ୍ରସଙ୍ଗରେ ଆସନ୍ତା ଶନିବାର ଘରୋଇ ବସ୍ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ସେହି ବୈଠକ ପରେ ଆଗାମୀ କାର୍ଯ୍ୟପନ୍ଥା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଂଘ ଆହୁରି କହିଛି, ଯଦି ଡିଜେଲ୍ ଦର କମେ ଏବଂ ଖର୍ଚ୍ଚ ସ୍ଥିର ରହେ, ତେବେ ଯାତ୍ରୀଙ୍କ ଉପରେ ଅତିରିକ୍ତ ଭାର ନଦେଇ ସେମାନେ ବର୍ତ୍ତମାନ ଭଡ଼ାରେ ବସ୍ ଚଳାଇବାକୁ ପ୍ରସ୍ତୁତ। କିନ୍ତୁ ସମସ୍ୟାର ସମାଧାନ ନହେଲେ ବସ୍ ଚଳାଚଳ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ସତର୍କ କରାଯାଇଛି।

 

ଏପଟେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ସରକାର ଏହି ପ୍ରସଙ୍ଗରେ କାମ କରୁଛନ୍ତି ଏବଂ ବିଷୟଟିର ସମୀକ୍ଷା ଚାଲିଛି। ଏହି ସମୟରେ ବସ୍ ମାଲିକମାନେ ଅନୁମୋଦିତ ଭଡ଼ାଠାରୁ ଅଧିକ ଭଡ଼ା ନନେଇ ସରକାରଙ୍କ ସହ ସହଯୋଗ କରିବା ଉଚିତ ବୋଲି ସେ କହିଛନ୍ତି। ସେହିପରି ବର୍ତ୍ତମାନ ଥିବା ୨ ପ୍ରତିଶତ ଭଡ଼ା ବୃଦ୍ଧି ନୀତି ଓ ନିୟମକୁ ମାନିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.