-
ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ଅଭିଯୋଗକାରିଣୀ ଯୁବତୀଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ
-
ପଟିଆରୁ ଅଶୋକ ଜେନା ଓରଫ ଗେଡ଼ାକୁ ଗିରଫ କଲା କ୍ରାଇମବ୍ରାଞ୍ଚ, ସଂପୃକ୍ତ ଆଉ ୧୦ ଜଣଙ୍କୁ ଚିହ୍ନଟ
- ପ୍ରାଥମିକ ତଦନ୍ତରେ ଏହା ଭିଡ଼ ହିଂସା ନୁହେଁ ବୋଲି କ୍ରାଇମବ୍ରାଞ୍ଚର ସୂଚନା, ତଥ୍ୟ ମିଳିଲେ ଦଫା ବଦଳିବ
ଭୁବନେଶ୍ୱର: ବାଲିଅନ୍ତା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସୌମ୍ୟରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଘଟଣାର ସତ୍ୟତା ଜାଣିବା ପାଇଁ ଏବେ ଅଭିଯୋଗକାରିଣୀ ଯୁବତୀଙ୍କର ପଲିଗ୍ରାଫ ଟେଷ୍ଟ କରାଯିବାର ସମ୍ଭାବନା ରହିଛି। ଏଥିପାଇଁ ଆବଶ୍ୟକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଥିବା କ୍ରାଇମବ୍ରାଞ୍ଚ ଡିଆଇଜି ସୂଚନା ଦେଇଛନ୍ତି।
ଘଟଣା ଦିନ ରାମଚନ୍ଦ୍ରପୁର ବ୍ରିଜ ଉପରେ ପ୍ରକୃତରେ କଣ ଘଟିଥିଲା, ତାହା ଏବେ ଏକ ବଡ଼ ପ୍ରଶ୍ନ। ଗାଡ଼ି ଧକ୍କା ପରେ ଦୁଷ୍କର୍ମ ଉଦ୍ୟମ ନେଇ ଯୁବତୀ ଯେଉଁ ଅଭିଯୋଗ ଆଣିଛନ୍ତି, ତାହାର ସତ୍ୟତା କେତେ, ତାହା ଜାଣିବାକୁ ତଦନ୍ତକାରୀ ସଂସ୍ଥା ଚାହୁଁଛି। ଦୁଇ ଯୁବତୀ ଓ ସୌମ୍ୟଙ୍କ ମଧ୍ୟରେ କଣ ହୋଇଥିଲା, ତାହାର ପୂରା ଚିତ୍ର ପଲିଗ୍ରାଫ ଟେଷ୍ଟ ଜରିଆରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
ଅନ୍ୟପଟେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତର ନାମ ଅଶୋକ ଜେନା ଓରଫ ଗେଡ଼ା। ଭୁବନେଶ୍ୱର ପଟିଆ ଅଞ୍ଚଳର ଏକ ହୋଟେଲରେ ସେ ଲୁଚି ରହିଥିବା ବେଳେ ପୋଲିସ ତାକୁ କାବୁ କରିଛି। ଏହି ମାମଲାରେ ସଂପୃକ୍ତ ଆଉ ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି ଏବଂ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।
ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ପ୍ରାଥମିକ ତଦନ୍ତରୁ ଏହା ଭିଡ଼ ହିଂସା ନୁହେଁ ବୋଲି ଜଣାପଡ଼ିଛି। କିନ୍ତୁ ତଦନ୍ତ ଚାଲିଥିବା ବେଳେ ଯଦି ଭିଡ଼ ହିଂସାର କୌଣସି ତଥ୍ୟ କିମ୍ବା ପ୍ରମାଣ ମିଳେ, ତେବେ ମାମଲାର ଗତିପଥ ବଦଳିଯିବ। ସେଭଳି ପରିସ୍ଥିତିରେ ଆଇନ ଅନୁଯାୟୀ ଭିଡ଼ ହିଂସା ସମ୍ବନ୍ଧୀୟ ଦଫା ଲଗାଯିବ ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି।