ଭୁବନେଶ୍ବର: ପୁଣି ଘୁଞ୍ଚିଲା ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ସମୟ । ପୂର୍ବରୁ ମେ ୩୧ ସୁଦ୍ଧା ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ବା ସେଲ୍ଫ ଆପ୍ରାଇଜାଲ୍ ରିପୋର୍ଟ ଦାଖଲ କରିବାକୁ ସମୟ ଦିଆଯାଇଥିବାବେଳେ, ଏବେ ଏହି ଅବଧିକୁ ବୃଦ୍ଧି କରାଯାଇ ଜୁନ୍ ୩୦ ରଖାଯାଇଛି । ସରକାରୀ କର୍ମଚାରୀମାନେ କେତେ କାମ କରୁଛନ୍ତି, ସେସବୁର ସମ୍ପୂର୍ଣ୍ଣ ଭାବେ ହିସାବ ନିକାଶ ହେବ ।
ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଥିବା ବେଳେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ଅଗଷ୍ଟ ୩୧ ତାରିଖ ସୁଦ୍ଧା କର୍ମଚାରୀ ଦେଇଥିବା ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ଉପରେ ମନ୍ତବ୍ୟ ଦେବେ ତାଙ୍କର ରିପୋର୍ଟିଂ ଅଥରିଟି । କର୍ମଚାରୀ ଠିକ ଲେଖିଛନ୍ତି କି ନାହିଁ, ସେ ନେଇ ମତ ରଖିବେ । ଅକ୍ଟୋବର ୩୧ ତାରିଖ ସୁଦ୍ଧା ମନ୍ତବ୍ୟ ଦେବେ ସମୀକ୍ଷା କରୁଥିବା ଅଧିକାରୀ ବା ସମୀକ୍ଷକ । ଡିସେମ୍ବର ୩୧ ତାରିଖ ସୁଦ୍ଧା ଚୂଡାନ୍ତ ଅଧିକାରୀ ମତ ଦେବେ ।