ଗଞ୍ଜାମ: କବିସୂର୍ଯ୍ୟନଗର ଥାନାରେ ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଏବଂ ଥାର୍ଡ ଡିଗ୍ରୀ ପ୍ରୟୋଗ ଅଭିଯୋଗ ଘଟଣାକୁ ପ୍ରଶାସନ ଅତି ଗମ୍ଭୀରତାର ସହ ନେଇଛି। ଏହି ସାଂଘାତିକ ମାମଲାରେ ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଏସପିଙ୍କୁ ଏହି ସମ୍ବେଦନଶୀଳ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।
ଆଇଜିଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ଏସପି ନିଜେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି। ଏହି ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ ଏକ ପଥର ବ୍ଲାଷ୍ଟିଂ ମାମଲାରେ ସୁବୁଳିଆ ଗାଁର ଯୁବକ ସୁଶାନ୍ତ ସାହୁଙ୍କୁ ପୋଲିସ ପଚରାଉଚରା ପାଇଁ ଅଟକ ରଖିଥିଲା। ତେବେ ଥାନା ଭିତରେ ତାଙ୍କୁ ବର୍ବର ଭାବେ ପିଟି ପିଟି ନୟାନ୍ତ କରାଯାଇଥିବା ନେଇ ପରିବାର ଲୋକେ ସିଧାସଳଖ ଅଭିଯୋଗ ଆଣିଛନ୍ତି। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଅଭାବନୀୟ ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି। ଲୋକଙ୍କ ମଧ୍ୟରେ ବଢୁଥିବା ଆକ୍ରୋଶକୁ ଦେଖି କବିସୂର୍ଯ୍ୟନଗର ଥାନା ସମ୍ମୁଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଥିତି ଏବେ ବି ଅଶାନ୍ତ ଥିବାରୁ ପୋଲିସ କଡ଼ା ନଜର ରଖିଛି।
ସାମ୍ପ୍ରତିକ ସମୟରେ ଓଡ଼ିଶା ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କିଛି ଦିନ ତଳେ କଟକର ବାରଙ୍ଗ ଥାନା ଏଭଳି ଏକ ବିବାଦ ଘେରରେ ଥିବା ବେଳେ ବର୍ତ୍ତମାନ ପୁଣି ଆଉ ଏକ ସମାନ ଘଟଣା ସାମ୍ନାକୁ ଆସିଛି। କବିସୂର୍ଯ୍ୟନଗରର ଏହି ସଂଘାତିକ ଅଭିଯୋଗ ପୋଲିସର ଖାକି ପୋଷାକ ଉପରେ ପୁଣି ଥରେ ବଡ଼ ଦାଗ ଲଗାଇଛି।