Latest Odisha News

BREAKING NEWS

ମହାପ୍ରଭୁଙ୍କ ସ୍ନାନଯାତ୍ରାରୁ ବାହୁଡ଼ା ଯାତ୍ରା ପାଇଁ ନୀତିନିର୍ଘଣ୍ଟ, ଶୃଙ୍ଖଳିତ ପହଣ୍ଡି ଓ ରଥଟଣା ଉପରେ ଗୁରୁତ୍ବ

ପୁରୀ: ମହାପ୍ରଭୁଙ୍କ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରାକୁ ନେଇ ସରିଛି ଛତିଶାନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜେନ୍ଦ୍ରଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଅନୁମୋଦିତ ହୋଇଛି । ସଅଳ ଦ୍ୱାରଫିଟା ଓ ଭୋରରୁ ମଙ୍ଗଳ ଆଳତି ଉପରେ ଗୁରୁତ୍ବ ଦିଆଯାଇଛି ।

ଗତବର୍ଷର ଅଘଟଣ ଯେଭଳି ପୁନରାବୃତ୍ତି ନ ହେବ, ତା’ ଉପରେ ଗୁରୁତ୍ବ ଦିଆଯାଇଛି । ଏଥର ଭୋରରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହେବ । ସ୍ନାନଯାତ୍ରାରେ ପହଣ୍ଡି ବିଜେ, ଜଳ ବିଜେ, ଜଳ ଲାଗି, ଛେରା ପହଁରା, ହାତୀବେଶକୁ ଶୃଙ୍ଖଳିତ କରିବା ପାଇଁ ସେବାୟତ ପ୍ରତିଶ୍ରୁତି ଦେଇଛନ୍ତି । ରଥଯାତ୍ରା ସମୟରେ ଶୃଙ୍ଖଳିତ ପହଣ୍ଡି ଓ ରଥଟଣା ସହିତ ଶୃଙ୍ଖଳିତ ଦର୍ଶନ ନେଇ ସମସ୍ତଙ୍କର ସହଯୋଗ ଲୋଡ଼ା ଯାଇଛି ବୋଲି ଶ୍ରୀ ପାଢି କହିଛନ୍ତି ।

ଛତିଶାନିଯୋଗ ବୈଠକରେ ହୋଇଥିବା ନୀତିନିର୍ଘଣ୍ଟ ଅନୁଯାୟୀ ଜୁନ ୨୪ରେ ରାଜେନ୍ଦ୍ରଭିଷେକ, ୨୫ରେ ରୁକ୍ମିଣୀ ହରଣ ଏକାଦଶୀ, ୨୬ରେ ଚମ୍ପକ ଦ୍ବାଦଶୀ, ୨୭ରେ ଦଇତା ପ୍ରବେଶ, ୨୯ରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୧୪ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଏବଂ ୧୬ରେ ରଥଯାତ୍ରା ଅନୁଷ୍ଠିତ ହେବ । ୧୬ ତାରିଖ ସକାଳ ୯ଟାରେ ରଥ ପ୍ରତିଷ୍ଠା, ୯ଟା ୩୦ରେ ପହଣ୍ଡି ଆରମ୍ଭ ଓ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ।

ସେହିପରି ଜୁଲାଇ ୨୦ରେ ହେରା ପଞ୍ଚମୀ, ୨୩ରେ ନବମୀ ସନ୍ଧ୍ୟା ଦର୍ଶନ, ୨୪ରେ ବାହୁଡ଼ା ଯାତ୍ରା, ୨୫ରେ ସୁନାବେଶ, ଏବଂ ୨୭ରେ ନୀଳାଦ୍ରି ବିଜେ ହେବ ବୋଲି ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.