ଭୁବନେଶ୍ୱର: ରଜରେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇବାକୁ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ଡାଏରୀ’ । ଏହା ଜୁନ୍ ୧୨ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ, ଭୁବନେଶ୍ୱରସ୍ଥିତ ଆଦିଲକ୍ଷ୍ମୀ କନଭେନସନ୍ ଠାରେ ‘ଡାଏରୀ’ର ଅଡ଼ିଓ ଏବଂ ଟିଜର ରିଲିଜ୍ ହୋଇଛି । ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମାର ପ୍ରଯୋଜନା କରିଛନ୍ତି ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ । ଚଳଚ୍ଚିତ୍ରର ସଙ୍ଗୀତ ଓ କାହାଣୀକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।
ଏକ ସୁନ୍ଦର ପ୍ରେମ କାହାଣୀ ଉପରେ ପର୍ଯ୍ୟବେସିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅର୍ଦ୍ଧେନ୍ଦୁଙ୍କ ସହ ଜସ୍ମିନ ଏବଂ ପ୍ରଜ୍ଞା ନଜର ଆସିବେ । ଏହି ନୂଆ ଯୋଡି ସେମାନଙ୍କ କେମେଷ୍ଟ୍ରିକୁ ନେଇ ଆଶାବାଦୀ ଥିବା ବେଳେ ଫିଲ୍ମ ରେ ଥିବା ଟ୍ୱିଷ୍ଟ ଦର୍ଶକଙ୍କୁ ବେଶ ପସନ୍ଦ ଆସିବା ବୋଲି କହିଛନ୍ତି ଅଭିନେତା ।
ଏହି ଫିଲ୍ମ ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ବେଳେ ସୋମେଶ ଶତପଥୀଙ୍କ ସୁମଧୁର ସଙ୍ଗୀତ ନିର୍ଦ୍ଦେଶନା ଏବଂ ଅମିତ ନାୟକ ଓ ଲୁବୁନ-ଟୁବୁନ କୋରିଓଗ୍ରାଫି ଫିଲ୍ମର ଗୀତ ଗୁଡ଼ିକୁ ଶ୍ରୁତିମଧୁର କରିଛି । ଏହି ଟିଜର ଓ ଅଡିଓ ରିଲିଜ୍ କାର୍ଯ୍ୟକ୍ରମରେ ସିନେ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଫିଲ୍ମର ସଙ୍ଗୀତ, କାହାଣୀ ଓ ନିର୍ମାଣ ଶୈଳୀ ଦର୍ଶକଙ୍କୁ ଏକ ନୂଆ ଅନୁଭବ ଦେବ ବୋଲି ଫିଲ୍ମର ପୂରା ଟିମ୍ ଆଶାବାଦୀ ଅଛନ୍ତି ।