କଟକ: ବହୁ ଚର୍ଚ୍ଚିତ ବାରଙ୍ଗ ଥାନା ହାଜତ ନିର୍ଯାତନା ମାମଲାରେ ଏବେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ଯୁବକଙ୍କୁ ପୋଲିସ ହାଜତରେ ଥାର୍ଡ ଡିଗ୍ରୀ ମାଡ଼ ମରାଯାଇଥିବା ନେଇ ପରିବାର ଓ ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ ପୋଲିସ ପକ୍ଷରୁ ଏବେ ଭିନ୍ନ ଯୁକ୍ତି ବଢ଼ାଯାଇଛି। ଆହତ ଯୁବକ ରାକେଶ ବେହେରା ହାଜତ ମାଡ଼ରେ ନୁହେଁ ବରଂ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ନେଇ ପୋଲିସ ଦାବି କରିଛି।
ପୋଲିସର କହିବା ଅନୁଯାୟୀ ଗତ ମେ ୨୩ ତାରିଖରେ ଏକ ବାଇକ୍ ଦୁର୍ଘଟଣା ଘଟି ରାକେଶ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ମେ ୨୪ ତାରିଖ ରାତିରେ ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ମେ ୨୫ ତାରିଖରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଦୁର୍ଘଟଣାକୁ ଭିତ୍ତି କରି ଗତ ମେ ୨୬ ତାରିଖରେ କଟକ ସଦର ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥମିବାର ନାଁ ନେଉନାହିଁ। ଚଣ୍ଡୀପ୍ରସାଦ ଗାଁର ରାକେଶଙ୍କୁ ବିନା କୌଣସି ଦୋଷରେ ପୋଲିସ ଥାନାକୁ ଉଠାଇ ନେଇଥିଲା। ସେଠାରେ ତାଙ୍କୁ ୪ ଦିନ ଧରି ଅମାନୁଷିକ ନିର୍ଯାତନା ଦିଆଯାଇଥିବା ନେଇ ପରିବାର ଲୋକେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ଏହାର ପ୍ରତିବାଦରେ ଗ୍ରାମବାସୀ କଟକ ଭୁବନେଶ୍ୱର ମୁଖ୍ୟ ରାସ୍ତାକୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରିଥିଲେ ଏବଂ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଲୋକଙ୍କ ତୀବ୍ର ଆକ୍ରୋଶ ଏବଂ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବାରଙ୍ଗ ଥାନା ଆଇଆଇସିଙ୍କୁ ପୂର୍ବରୁ ଡିସିପି ଅଫିସକୁ ବଦଳି କରାଯାଇଛି। ତେବେ ପୋଲିସର ଏହି ନୂଆ ଦୁର୍ଘଟଣା ତଥ୍ୟକୁ ପରିବାର ବର୍ଗ ଏବଂ ସ୍ଥାନୀୟ ଲୋକେ ଗ୍ରହଣ କରିବାକୁ ନାରାଜ। ମାମଲାର ଏକ ଉଚ୍ଚସ୍ତରୀୟ ତଥା ନିରପେକ୍ଷ ତଦନ୍ତ କରାଗଲେ ହିଁ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।