Latest Odisha News

BREAKING NEWS

କଳା ବ୍ଲେଜର ଓ ଧଳା ସାର୍ଟ ପିନ୍ଧିବାର ରହସ୍ୟ ଖୋଲିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ: ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ଦଳର ମୁଖ୍ୟ ବିଜୟ ନିଜର ପୋଷାକକୁ ନେଇ ଚାଲିଥିବା ସମସ୍ତ ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ସେ ଲଗାତାର କଳା ବ୍ଲେଜର ଓ ଧଳା ସାର୍ଟରେ ନଜର ଆସୁଛନ୍ତି। ସାଧାରଣତଃ ଦକ୍ଷିଣ ଭାରତର ରାଜନେତାମାନେ ପାରମ୍ପରିକ ଧଳା ସାର୍ଟ ଏବଂ ଲୁଙ୍ଗି ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ ବିଜୟଙ୍କ ଏହି ନୂଆ ଅନ୍ଦାଜ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହାକୁ ନେଇ ରାଜନୈତିକ ମହଲରେ ଏବଂ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରଶ୍ନ ଉଠିଥିଲା। ଏବେ ଏହି ପ୍ରସଙ୍ଗରେ ସେ ନିଜେ ସ୍ପଷ୍ଟୀକରଣ ରଖିଛନ୍ତି।

 

ତିରୁଚିରାପଲ୍ଲୀଠାରେ ଆୟୋଜିତ ଏକ ବିଶାଳ ଧନ୍ୟବାଦ ସମାବେଶକୁ ସମ୍ବୋଧିତ କରିବା ବେଳେ ବିଜୟ ଏହି ପ୍ରସଙ୍ଗ ଉଠାଇଥିଲେ। ସମାବେଶରେ ଉପସ୍ଥିତ ହଜାର ହଜାର ସମର୍ଥକଙ୍କୁ ସେ ପ୍ରଶ୍ନ କରିଥିଲେ ଯେ କଣ ଆମେ ବ୍ଲେଜର ସୁଟ ପିନ୍ଧି ପାରିବୁ ନାହିଁ। କେବଳ କ୍ଷମତାରେ ଥିବା କିମ୍ବା ଉଚ୍ଚ ପଦବୀରେ ବସିଥିବା ଲୋକେ ହିଁ କୋଟ ପିନ୍ଧିବେ ବୋଲି କୌଣସି ନିୟମ ଅଛି କି ବୋଲି ସେ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ତାଙ୍କ ପୋଷାକରେ କୌଣସି ଅଲଗା ରଙ୍ଗ ନାହିଁ କେବଳ କଳା ଏବଂ ଧଳା ରହିଛି।

 

କଳା ଏବଂ ଧଳା ରଙ୍ଗ ପିନ୍ଧିବାର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଏହି ଦୁଇଟି ରଙ୍ଗ ତାଙ୍କ ସ୍ୱଚ୍ଛତା ଏବଂ ସରଳତାର ପ୍ରତୀକ ଅଟେ। ଯେପରି କଳା ଏବଂ ଧଳା ରଙ୍ଗରେ କୌଣସି ପକ୍ଷପାତିତା ନଥାଏ ସେହିପରି ତାଙ୍କ ହୃଦୟ ମଧ୍ୟ ସମ୍ପୂର୍ଣ୍ଣ ସଫା। ଆଗାମୀ ଦିନରେ ନିଜର ସମସ୍ତ କାର୍ଯ୍ୟରେ ସେ ଏହିପରି ସ୍ୱଚ୍ଛତା ବଜାୟ ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଜୟଙ୍କ ଏହି ବକ୍ତବ୍ୟ ଶୁଣିବା ପରେ ସମର୍ଥକମାନେ ତାଳି ମାରି ତାଙ୍କୁ ସ୍ୱାଗତ କରିଥିଲେ।

 

ଏହି ସମାବେଶରେ ବିଜୟ ବିରୋଧୀ ଦଳ ବିଶେଷ କରି ଡିଏମକେ ଉପରେ କଡ଼ା ପ୍ରହାର କରିଥିଲେ। କ୍ଷମତାକୁ ଆସିବାର ମାତ୍ର କିଛି ସପ୍ତାହ ନବିତୁଣୁ ବିରୋଧୀମାନେ ସମାଲୋଚନା ଆରମ୍ଭ କରିଦେଇଛନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ। ଶେଷରେ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ଲୋକେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ ବରଂ ଜଣେ ପ୍ରଧାନ ସେବକ ଭାବେ ବାଛିଛନ୍ତି।

Leave A Reply

Your email address will not be published.