ୟୁରୋପୀୟ ସଂଘ ଉପରାଷ୍ଟ୍ରପତିଙ୍କ ପାକିସ୍ତାନ ଗସ୍ତ: ଶେହବାଜ ଓ ସେନା ମୁଖ୍ୟଙ୍କୁ ପ୍ରଶଂସା, ଭାରତ ସହ ବାଣିଜ୍ୟ ଚୁକ୍ତି ପରେ ଚର୍ଚ୍ଚା ଜୋର
ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୟୁରୋପୀୟ ସଂଘର ଉପରାଷ୍ଟ୍ରପତି ତଥା ବୈଦେଶିକ ବ୍ୟାପାର ପ୍ରତିନିଧି କାଜା କଲ୍ଲାସ ପାକିସ୍ତାନ ଗସ୍ତରେ ଯାଇ ସେଠାକାର ନେତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।
]
ବିଶେଷ କରି ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନା ମୁଖ୍ୟ ଆସିମ ମୁନିରଙ୍କ ସହ ବୈଠକ କରିବା ପରେ ଦେଇଥିବା ବୟାନ ଭାରତର ଚିନ୍ତା ବଢ଼ାଇପାରେ ବୋଲି ଆଲୋଚନା ହେଉଛି।
ଇସଲାମାବାଦରେ ଶାହବାଜ ସରିଫ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କୁ ଭେଟିବା ପରେ କାଜା ରାୱଲପିଣ୍ଡି ସ୍ଥିତ ସେନା ମୁଖ୍ୟାଳୟରେ ଯାଇ ସେନା ମୁଖ୍ୟ ଆସିମ ମୁନିରଙ୍କୁ ମଧ୍ୟ ଭେଟିଥିଲେ। ଏହି ଗସ୍ତ ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରି ସେ ପାକିସ୍ତାନକୁ ଏକ ବଡ଼ ଆଞ୍ଚଳିକ ଶକ୍ତି ଏବଂ ୟୁରୋପୀୟ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି ଅଭିହିତ କରିଛନ୍ତି।
ସେ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ବ୍ୟାପାରିକ ଏବଂ କୂଟନୈତିକ ସମ୍ପର୍କ ବେଶ ମଜବୁତ ରହିଛି। ପାକିସ୍ତାନର ସବୁଠାରୁ ବଡ଼ ରପ୍ତାନି ବଜାର ୟୁରୋପୀୟ ସଂଘ ହୋଇଥିବାରୁ ପାକିସ୍ତାନକୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉଛି ଯାହା ଫଳରେ ସେମାନେ ବିନା କୌଣସି ଟିକସରେ ନିଜ ସାମଗ୍ରୀ ୟୁରୋପୀୟ ଦେଶଗୁଡ଼ିକରେ ବିକ୍ରି କରିପାରୁଛନ୍ତି।
ଏହା ବ୍ୟତୀତ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି କରାଇବାରେ ପାକିସ୍ତାନର ମଧ୍ୟସ୍ଥତାକୁ କାଜା ପ୍ରଶଂସା କରିଛନ୍ତି। ବିଶ୍ୱ ଶାନ୍ତି ପ୍ରତିଷ୍ଠା ଦିଗରେ ପାକିସ୍ତାନର ଭୂମିକା ଗ୍ରହଣୀୟ ବୋଲି ସେ ମତ ରଖିଛନ୍ତି।
ତେବେ ଭାରତ ସହ ନିକଟରେ ବଡ଼ ଧରଣର ବାଣିଜ୍ୟିକ ଚୁକ୍ତି ହୋଇଥିବା ବେଳେ ୟୁରୋପୀୟ ସଂଘ ପ୍ରତିନିଧିଙ୍କ ଏଭଳି ପାକିସ୍ତାନ ପ୍ରୀତି ଏବଂ ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ଦେଶର ସେନା ମୁଖ୍ୟଙ୍କୁ ଭେଟିବା ଭାରତ ପାଇଁ ଅସନ୍ତୋଷର କାରଣ ହୋଇପାରେ ବୋଲି କୂଟନୈତିକ ମହଲରେ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ଏହି ଘଟଣା ଆନ୍ତର୍ଜାତିକ ରାଜନୀତିରେ କି ପ୍ରଭାବ ପକାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।