Latest Odisha News

BREAKING NEWS

ରାଜ୍ୟସଭା ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ରାଜନୈତିକ ସରଗରମ ବଢ଼ିବାରେ ଲାଗିଛି। ରାଜ୍ୟ ବିଜେପି ପକ୍ଷରୁ ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଆଜି ଆନୁଷ୍ଠାନିକ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ। ଓଡ଼ିଶା ବିଧାନସଭା ପରିସରରେ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ନିଜର ପ୍ରାର୍ଥିପତ୍ର ସାଙ୍ଗକୁ ୪ ସେଟ୍ ଫର୍ମ ଦାଖଲ କରିଛନ୍ତି।

 

ନାମାଙ୍କନ ଦାଖଲ ସମୟରେ ବିଜେପି ଶିବିରରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟ ବିଜେପିର ବହୁ ବରିଷ୍ଠ ବିଧାୟକ, ମନ୍ତ୍ରୀ ଓ ଦଳୀୟ ପ୍ରମୁଖ ନେତାମାନେ ବିଧାନସଭାରେ ଉପସ୍ଥିତ ରହି ଦେବାଶିଷଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସହ ପ୍ରାର୍ଥିପତ୍ର ଦାଖଲ ସମୟରେ ସାମିଲ ହୋଇଥିଲେ।

 

ସୂଚନାଯୋଗ୍ୟ ଯେ, ଗତକାଲି (ଗୁରୁବାର) ରାଜ୍ୟ ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟଙ୍କ ନାମକୁ ପ୍ରାର୍ଥୀ ଭାବେ ସରକାରୀ ସ୍ତରରେ ମୋହର ମରାଯାଇଥିଲା। ନାମ ଘୋଷଣାର ମାତ୍ର କେଇ ଘଣ୍ଟା ମଧ୍ୟରେ ସେ ଆଜି ବେଶ୍ ଦେଖଣାହାରୀ ଢଙ୍ଗରେ ନିଜର ଦଳୀୟ ସହକର୍ମୀଙ୍କ ସହ ଆସି ନାମାଙ୍କନ ଭରିଛନ୍ତି।

 

ଏହି ଖାଲି ପଡ଼ିଥିବା ଆସନ ପାଇଁ ଆସନ୍ତା ଜୁନ୍ ୧୮ ତାରିଖରେ ରାଜ୍ୟସଭା ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣ କରାଯିବ। ବିଧାନସଭାରେ ସଂଖ୍ୟା ଗରିଷ୍ଠତାକୁ ଦେଖିଲେ ବିଜେପି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ବେଶ୍ ସୁଦୃଢ଼ ମନେହେଉଛି। ପ୍ରାର୍ଥିପତ୍ର ଦାଖଲ ପରେ ଦେବାଶିଷ ରାଜ୍ୟର ବିକାଶ ଓ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସଂସଦରେ ସ୍ୱର ଉତ୍ତୋଳନ କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.