ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ତାର ୧୧ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକା ପ୍ରକାଶ ପାଇବା ପରେ ଦେଶର ରାଜନୀତିରେ ଏକ ବଡ଼ ହଲଚଲ୍ ଦେଖାଦେଇଛି । କାରଣ ମୋଦୀ ସରକାରର ଦୁଇ ବଡ଼ ଚେହେରା ତଥା କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ଏବଂ ଜର୍ଜ କୁରିଅନ୍ଙ୍କୁ ଏଥର ରାଜ୍ୟସଭା ଟିକେଟ୍ ମିଳିନାହିଁ । ଯାହାକୁ ନେଇ ଏବେ ସରଗରମ ହୋଇଛି ରାଜନୀତି ଏବଂ ମୋଦୀ କ୍ୟାବିନେଟ୍ରେ ଏକ ବଡ଼ ଧରଣର ଅଦଳବଦଳ ହେବାର ସଙ୍କେତ ମିଳୁଛି ।
କେରଳରୁ ଆସୁଥିବା ଜର୍ଜ କୁରିଅନ୍ ମୋଦୀ ସରକାରର ଏକମାତ୍ର ଖ୍ରୀଷ୍ଟିଆନ ମନ୍ତ୍ରୀ ହୋଇଥିବାବେଳେ, ରବନୀତ ବିଟ୍ଟୁ ହେଉଛନ୍ତି ପଞ୍ଜାବର ପ୍ରଭାବଶାଳୀ ନେତା। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ସେମାନଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଥିଲେ ମଧ୍ୟ ପାର୍ଟି ସେମାନଙ୍କୁ ଦ୍ୱିତୀୟ ସୁଯୋଗ ଦେଇନାହିଁ।
ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଟିକେଟ୍ କଟିବା ପରେ କ୍ୟାବିନେଟ୍ରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହା ପୂର୍ବରୁ ଦୁଇ ଜଣ ଜୁନିଅର ମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କୁ ଉତ୍ତର ପ୍ରଦେଶ ଏବଂ ହର୍ଷ ମଲହୋତ୍ରାଙ୍କୁ ଦିଲ୍ଲୀ ବିଜେପିର ସଭାପତି ଦାୟିତ୍ୱ ଦିଆଯାଇ ସଙ୍ଗଠନକୁ ପଠାଯାଇଛି । ନିୟମ ଅନୁସାରେ, ସାଂସଦ ନଥାଇ ମଧ୍ୟ ଜଣେ ବ୍ୟକ୍ତି ୬ ମାସ ପର୍ଯ୍ୟନ୍ତ ମନ୍ତ୍ରୀ ରହିପାରିବେ।
ରାଜନୈତିକ ସମୀକ୍ଷକଙ୍କ ମତରେ, ବିଜେପି ରବନୀତ ବିଟ୍ଟୁଙ୍କୁ ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ଉପରେ ସମ୍ପୂର୍ଣ୍ଣ ଫୋକସ୍ କରିବାକୁ କହିପାରେ । ଅନ୍ୟପଟେ, ଝାଡ଼ଖଣ୍ଡ ଏବଂ କର୍ଣ୍ଣାଟକ ପାଇଁ ପ୍ରାର୍ଥୀ ଘୋଷଣା ବାକି ଥିବାରୁ ଏହି ଦୁଇ ମନ୍ତ୍ରୀଙ୍କ ମଧ୍ୟରୁ କାହାରି ଜଣଙ୍କୁ ସେଠାରୁ ସୁଯୋଗ ମିଳିବାର ସମ୍ଭାବନା ମଧ୍ୟ ଏବେ ସୁଦ୍ଧା ଶେଷ ହୋଇନାହିଁ।
ଏଥର ବିଜେପି କୌଣସି ପୁରୁଣା ସାଂସଦଙ୍କୁ ରିପିଟ୍ ନକରି ନୂଆ ଏବଂ ସଙ୍ଗଠନର ନିଷ୍ଠାପର ଚେହେରାଙ୍କ ଉପରେ ଭରସା କରିଛି। ପାର୍ଟିର ଜାତୀୟ ମହାସଚିବ ତରୁଣ ଚୁଘ୍ ଏବଂ ସତୀଶ ପୁନିଆଙ୍କୁ ପ୍ରଥମ ଥର ପାଇଁ ସଂସଦ ପଠାଇବାକୁ ପ୍ରସ୍ତୁତି ଚାଲିଛି। ସେହିପରି ଗୁଜରାଟରୁ ଓବିସି ଏବଂ ଆଦିବାସୀ ସମୁଦାୟକୁ ପ୍ରାଧାନ୍ୟ ଦିଆଯାଇଛି।
ସଂଖ୍ୟା ବଳ ଦୃଷ୍ଟିରୁ ଦେଖିବାକୁ ଗଲେ, ଏହି ୧୧ଟି ଆସନ ମଧ୍ୟରୁ ଗୁଜରାଟରୁ ୪ଟି, ରାଜସ୍ଥାନ ଓ ମଧ୍ୟପ୍ରଦେଶରୁ ୨ଟି ଲେଖାଏଁ, ଏବଂ ମଣିପୁର, ଅରୁଣାଚଳ ପ୍ରଦେଶ ତଥା ଓଡ଼ିଶାରୁ ଗୋଟିଏ ଲେଖାଏଁ ଆସନରେ ବିଜେପିର ବିଜୟ ପ୍ରାୟ ସୁନିଶ୍ଚିତ ମନେହେଉଛି। ତେବେ ଟିକେଟ୍ କଟିବା ପରେ କେନ୍ଦ୍ରମନ୍ତ୍ରୀ ରବନୀତ ବିଟ୍ଟୁ ଏବଂ ଜର୍ଜ କୁରିଅନ୍ଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ଏବଂ ମୋଦୀ କ୍ୟାବିନେଟ୍ରେ କେବେ ବଡ଼ ଅଦଳବଦଳ ହେବ, ତାହା ଉପରେ ଏବେ ସାରା ଦେଶର ନଜର।