ନ୍ୟୁ ଚଣ୍ଡୀଗଡ: ଏଠାରେ ଚାଲିଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୪୫୧ ରନରେ ଆଗୁଆ ରହିଛି । ଭାରତ ୮ ୱିକେଟ ବିନିମୟରେ ୫୬୪ ରନ କରି ଇନିଂସ ଘୋଷଣା କରିଥିଲା । ଏହାର ଜବାବରେ ଷ୍ଟମ୍ପସ ଅପସାରଣ ବେଳକୁ ଆଫଗାନିସ୍ତାନ ୫ ୱିକେଟ ବିନିମୟରେ ୧୧୩ ରନ କରିଛି । ରହମତ ଶାହ ୪୩ ରନ କରି ଅପରାଜିତ ରହିଛନ୍ତି । ଭ୍ରମଣକାରୀ ଦଳ ଏବେ ବି ଭାରତଠାରୁ ୪୫୧ ରନ ପଛରେ ରହିଛି । ପଦାର୍ପଣ ଟେଷ୍ଟରେ ମାନବ ସୁଥାର ୩ଟି ୱିକେଟ ଅକ୍ତିଆର କରି ପ୍ରଭାବିତ କରିଛନ୍ତି ।
୨୯ ବର୍ଷ ପରେ ପଦାର୍ପଣ ମ୍ୟାଚରେ ସୁଥାର ଭାରତ ପକ୍ଷରୁ ପ୍ରଥମ ଓଭରରେ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ତାଙ୍କ ପୂର୍ବରୁ ୧୯୯୭ରେ ଶ୍ରୀଲଙ୍କା ବିପକ୍ଷରେ ନୀଲେଶ କୂଲକର୍ଣ୍ଣି ପ୍ରଥମ ଓଭରରେ ୱିକେଟ ନେଇଥିଲେ । ପୂର୍ବରୁ ଭାରତ ପକ୍ଷରୁ ଅଧିନାୟକ ଶୁଭମନ ଗିଲ ୧୨୬ କେଏଲ ରାହୁଲ ୧୦୦, ରିଷଭ ପନ୍ତ ୮୧ ଓ ସାଈ ସୁଦର୍ଶନ ୮୧ ରନ କରିଥିଲେ । ୱାଶିଂଟନ ସୁନ୍ଦର ୫୨ ରନ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ସଲୀମ ସଫି ସର୍ବାଧିକ ୬ଟି ୱିକେଟ ନେଇଥିଲେ ।