ଗଞ୍ଜାମ: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କଲେ ନବମ ଶ୍ରେଣୀ ଛାତ୍ର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ । ଚଳିତ ବର୍ଷ ୧୦ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ୧୫ ବର୍ଷୀୟା ଛାତ୍ରୀଙ୍କୁ ୯ମ ଶ୍ରେଣୀରେ ପଢ଼ୁଥିବା ସେହି ଗ୍ରାମର ଜଣେ ୧୭ ବର୍ଷୀୟ ଛାତ୍ର ତାଙ୍କ ମା ବାପାଙ୍କ ସହାୟତାରେ ଅପହରଣ କରିଥିବା ଅଭିଯୋଗ ହୋଇଛି ।
ଏନେଇ ନାବାଳିକାଙ୍କ ମା’ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଆଧାର କରି ଅଭିଯୁକ୍ତମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛି ଦିଗପହଣ୍ଡି ଥାନା ପୋଲିସ ।
ସୂଚନାଯୋଗ୍ୟ, ଶୁକ୍ରବାର ସକାଳ ପ୍ରାୟ ୬ ଟାରେ ନାବାଳିକାଙ୍କ ମା’ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳଏ, ଏହି ସମୟରେ ନାବାଳିକା ଜଣକ ଘରେ ଏକୁଟିଆ ଥିବା ସୁଯୋଗ ନେଇ ନାବାଳକ ଜଣକ ତାଙ୍କୁ କେଉଁଆଡ଼େ ନେଇଯାଇଥିବା ନେଇ ନାବାଳିକାଙ୍କ ସାନ ଭଉଣୀ ତାଙ୍କ ମା’ଙ୍କୁ କହିଥିଲେ । ନାବାଳିକାଙ୍କ ମା’ ଏବଂ ସମ୍ପର୍କୀୟ ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ଝିଅକୁ ପାଇନଥିଲେ ।
ପରେ ନାବାଳିକାଙ୍କ ମା’ ନାବାଳକଙ୍କ ମା ଓ ବାପାଙ୍କୁ ଫୋନ କରିଥିଲେ । ହେଲେ ତାଙ୍କ ଝିଅ ଆନ୍ଧ୍ର ପ୍ରଦେଶ ରାଜମହେନ୍ଦ୍ରୀରେ ଅଛି ବୋଲି ନାବାଳକର ବାପା କହିଥିଲେ ଏବଂ ଝିଅକୁ ହତ୍ୟା କରିବା ନେଇ ଧମକ ମଧ୍ୟ ଦେଇଥିଲେ । ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।