ମୁମ୍ବାଇ: ବଲିଉଡ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଓ ଖୁସି ଖବର। ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ବଡ଼ ପରଦାରେ ଜଲ୍ୱା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି ଅଭିନେତ୍ରୀ ପ୍ରୀତି ଜିଣ୍ଟା। ନିଜର ଆଗାମୀ ପ୍ରୋଜେକ୍ଟକୁ ନେଇ ସେ ବେଶ୍ ଉତ୍ସାହିତ ଥିବା ବେଳେ ପ୍ରଶଂସକମାନଙ୍କ ସହ ଏହି ଖବର ସେୟାର କରିବାକୁ ସେ ଆଦୌ ଅପେକ୍ଷା କରିପାରୁନାହାନ୍ତି। ଏବେ ଏହି ନୂଆ କାମ ପୂର୍ବରୁ ସେ କିଛି ସମୟ ବ୍ରେକ୍ ନେଇ ଆରାମ କରୁଥିବା ଜଣାପଡ଼ିଛି।
ବଲିଉଡ୍ର ‘ଡିମ୍ପଲ୍ ଗର୍ଲ’ ପ୍ରୀତି ଜିଣ୍ଟା ପୁଣି ଥରେ ସିନେମା ଜଗତରେ ଧମାକା କରିବାକୁ ଯାଉଛନ୍ତି। ନିକଟରେ ଅଭିନେତ୍ରୀ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଏହି ଫଟୋ ସହ ସେ ଲେଖିଛନ୍ତି ଯେ, ନୂଆ ପ୍ରୋଜେକ୍ଟର ସୁଟିଂ ଆରମ୍ଭ କରିବା ପୂର୍ବରୁ ସେ ସାମାନ୍ୟ ଆରାମ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ଏହି ବିଷୟରେ ନିଜ ଫ୍ୟାନ୍ସମାନଙ୍କୁ ସବୁ କଥା ଜଣାଇବେ। ପ୍ରୀତିଙ୍କ ଏହି ପୋଷ୍ଟ ପରେ ତାଙ୍କୁ ବଡ଼ ପରଦାରେ ଦେଖିବାକୁ ଚାହିଁ ରହିଥିବା ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦ୍ବିଗୁଣିତ ହୋଇଯାଇଛି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରୀତି ଗୋଟିଏ କି ଦୁଇଟି ନୁହେଁ ବରଂ ଦୁଇ ଦୁଇଟି ବଡ଼ ଫିଲ୍ମ ସହ ଦମଦାର୍ କମ୍ବ୍ୟାକ୍ କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ଆକ୍ସନ-କମେଡି ଫିଲ୍ମ ‘ୱାଇବ୍’ ଏବଂ ଅନ୍ୟଟି ହେଉଛି ମୋଷ୍ଟ ଆୱେଟେଡ୍ ଫିଲ୍ମ ‘ଲାହୋର ୧୯୪୭’।
ଫିଲ୍ମ ‘ୱାଇବ୍’ ରେ ପ୍ରୀତି ଜିଣ୍ଟାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା କୁନାଲ ଖେମୁ। ଏହି ଫିଲ୍ମଟି ଦୁଇଜଣ ସଚ୍ଚା ବନ୍ଧୁଙ୍କ କାହାଣୀ ଉପରେ ଆଧାରିତ। ଯେଉଁମାନେ ଅଜାଣତରେ ଏକ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଫସିଯାଉଛନ୍ତି। ହାସ୍ୟରସ, ରୋମାଞ୍ଚ ଏବଂ ଦେଶଭକ୍ତିର ମିଶ୍ରଣରେ ପ୍ରସ୍ତୁତ ଏହି ସିନେମାର ଲେଖନ ଓ ନିର୍ଦ୍ଦେଶନା ନିଜେ କୁନାଲ ଖେମୁ କରିଛନ୍ତି। ‘ଦ୍ରୋଙ୍ଗୋ ଫିଲ୍ମସ’ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ପ୍ରେକ୍ଷାଳୟକୁ ଆସିବ ଏବଂ ପରବର୍ତ୍ତୀ ସମୟରେ ଓଟିଟି ପ୍ଲାଟଫର୍ମ ‘ଆମାଜନ ପ୍ରାଇମ ଭିଡିଓ’ ରେ ମଧ୍ୟ ଷ୍ଟ୍ରିମ୍ ହେବ।
ଅନ୍ୟପଟେ ପ୍ରୀତିଙ୍କ ଦ୍ବିତୀୟ ବଡ଼ ପ୍ରୋଜେକ୍ଟ ହେଉଛି ‘ଲାହୋର ୧୯୪୭’। ଏହି ଚଳଚ୍ଚିତ୍ରରେ ସେ ବଲିଉଡ୍ର ଆକ୍ସନ କିଙ୍ଗ ସନି ଦେଓଲଙ୍କ ସହ ସ୍କ୍ରିନ୍ ସେୟାର କରିବେ। ବିଶିଷ୍ଟ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ସିନେମା ଭାରତ ବିଭାଜନର ପୃଷ୍ଠଭୂମି ଉପରେ ଆଧାରିତ। ଅମିର ଖାନଙ୍କ ପ୍ରୋଡକ୍ସନ ବ୍ୟାନରରେ ନିର୍ମିତ ଏହି ହାଇ-ପ୍ରୋଫାଇଲ୍ ଫିଲ୍ମରେ ଶବାନା ଆଜମୀ, ଅଲି ଫଜଲ ଏବଂ ଅଭିମନ୍ୟୁ ସିଂଙ୍କ ଭଳି ଦକ୍ଷ କଳାକାର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ସେହି ସମୟର ଭାବପ୍ରବଣତା ଏବଂ ସ୍ମରଣୀୟ ଐତିହାସିକ ଘଟଣାକୁ ପରଦାରେ ଜୀବନ୍ତ କରିବ ବୋଲି ଆଶା କରାଯାଉଛି।
ତେବେ ଦୀର୍ଘ ଦିନ ପରେ ପ୍ରୀତି ଜିଣ୍ଟାଙ୍କୁ ପୁଣି ଥରେ ରୂପେଲି ପରଦାରେ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସମାନେ ଚାତକ ଭଳି ଚାହିଁ ରହିଛନ୍ତି। ଏବେ ଅପେକ୍ଷା ‘ୱାଇବ୍’ ର କମେଡି ଏବଂ ‘ଲାହୋର ୧୯୪୭’ ର ଇମୋସନ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି।