ନୂଆଦିଲ୍ଲୀ: ଡୋମିନିକାନ୍ ଗଣରାଜ୍ୟରେ ଏକ ଘରୋଇ ବିମାନ ଜରୁରୀକାଳୀନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଉଭୟ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି।
ଯେଉଁଥିରେ ବିମାନଟି ରନୱେକୁ ଛୁଇଁବା ମାତ୍ରେ ହଠାତ୍ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ଏକ ବଡ଼ ଅଗ୍ନିପିଣ୍ଡୁଳା ଆକାଶକୁ ଉଠିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାଟିକୁ କ୍ୟାମେରାରେ କଏଦ କରୁଥିବା ଉପସ୍ଥିତ ଲୋକମାନେ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ। ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ ବିମାନଟି ସମୂର୍ଣ୍ଣ ଜଳି ଉଠିଥିଲା। କାରିବିଆନ୍ ଦେଶ ଡୋମିନିକାନ୍ ଗଣରାଜ୍ୟର ଲା ରୋମାନା ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ ଦୁର୍ଘଟଣାରେ ପାଇଲଟ୍ ଏବଂ କୋ-ପାଇଲଟ୍ ମୃତ୍ୟୁବରଣ କରିଛନ୍ତି।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଘରୋଇ ଜେଟ୍ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିଲା ବେଳେ ଦୁର୍ଘଟଣା ଘଟିଥିଲା। ଲ୍ୟାଣ୍ଡିଂ ସମ୍ପୂର୍ଣ୍ଣ ହେବା ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଜରୁରୀକାଳୀନ ଅବତରଣର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ଦୁର୍ଘଟଣା ପରେ କର୍ତ୍ତୃପକ୍ଷ ଜରୁରୀକାଳୀନ ଅବତରଣ କାହିଁକି କରାଯାଇଥିଲା ସେନେଇ ତଦନ୍ତ ଆରମ୍ଭ କରିଛନ୍ତି।