ପାଟନା: ବିହାରର ପ୍ରସିଦ୍ଧ କୋଚିଂ ଶିକ୍ଷକ ଫୈଜଲ ଖାନ ଙ୍କୁ ପାଟନା ସିଭିଲ୍ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଯିଏକି ଖାନ୍ ସାର ଭାବେ ଖୁବ୍ ପରିଚିତ। ମଙ୍ଗଳବାର ଦିନ ପାଟନା ସିଭିଲ୍ କୋର୍ଟ ଖାନଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ତାଙ୍କ ଗିରଫଦାରୀ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।
ପାଟନା ପୋଲିସ ଖାନଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ଆଇନ ଏବଂ ହତ୍ୟା ଉଦ୍ୟମ ଅଧୀନରେ ଏକ ମାମଲା ରୁଜୁ କରିଥିଲା। ମାମଲା ରୁଜୁ ହେବା ପରେ ସେ ନିଖୋଜ ହୋଇଯାଇଥିଲେ। ପାଟନା ପୋଲିସ ତାଙ୍କୁ ଗିରଫ କରିବା ପାଇଁ ନିରନ୍ତର ଚଢାଉ କରୁଥିଲା। ଏହି ସମୟରେ ଖାନ ସାରଙ୍କ ଓକିଲ ଶନିବାର ଅନଲାଇନରେ ଏକ ଆଗୁଆ ଜାମିନ ଆବେଦନ ଦାଖଲ କରିଥିଲେ।ଯାହାର ଶୁଣାଣି ଆଜି ହୋଇଥିଲା।
ତାଙ୍କ ଓକିଲ ଅରବିନ୍ଦ କୁମାର ମହୁଆର କହିଛନ୍ତି ଯେ ପୋଲିସ ଖାନ ସାରଙ୍କୁ ଗିରଫ କରିପାରିବ ନାହିଁ। ତାଙ୍କୁ ସୁରକ୍ଷା ଜାମିନ ପ୍ରଦାନ କରାଯାଇଛି। କୋର୍ଟ ଏପର୍ଯ୍ୟନ୍ତ ଶୁଣାଣି ପାଇଁ ତାରିଖ ସ୍ଥିର କରିନାହାଁନ୍ତି। କୋର୍ଟରେ ଉପସ୍ଥାପିତ ଯୁକ୍ତି ଉପରେ ଆଧାର କରି କୋର୍ଟ ତାଙ୍କ ଗିରଫଦାରୀ ଉପରେ ସ୍ଥଗିତାଦେଶ ପ୍ରଦାନ କରିଛନ୍ତି।
ଫୈଜଲ୍ ଖାନଙ୍କ ଓକିଲ କହିଛନ୍ତି ଯେ ପୋଲିସ କୋର୍ଟରେ କେସ୍ ଡାଏରୀ ଦାଖଲ କରିବା ପରେ ତାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରାଯିବ। କୋର୍ଟ ଏବେ ପୋଲିସଠାରୁ ତାଙ୍କ କେସ୍ ଡାଏରୀ ମାଗିଛି। ତେବେ ଖାନଙ୍କ ଗାର୍ଡଙ୍କ ମାମଲାର ଶୁଣାଣି ଜୁନ୍ ୧୦ ତାରିଖରେ ହେବ।
ଉଲ୍ଲେଖଯୋଗ୍ୟ, ନିକଟରେ ପାଟନାର ମୁସଲ୍ଲାପୁରରେ ଖାନ ସାରଙ୍କ କୋଚିଂ ଇନଷ୍ଟିଚ୍ୟୁଟ୍ ବାହାରେ ଗୁଳିଚାଳନା ଏବଂ ହିଂସା ଘଟିଥିଲା। ଏନେଇ କଦୁମକାନ୍ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ସେମାନେ ଖାନ ସାରଙ୍କ ନିର୍ଦ୍ଦେଶରେ ଗୁଳି ଚଳାଇଥିଲେ ବୋଲି କହିଛନ୍ତି ଗାର୍ଡ ମାନେ । ପୋଲିସ ସେମାନଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ମାମଲା ରୁଜୁ କରିଛି।
ଶୁକ୍ରବାର ସନ୍ଧ୍ୟାରୁ ତାଙ୍କ କୋଚିଂ ସେଣ୍ଟର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏକ ବଡ଼ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏହା ମନେ ହେଉଥିଲା ଯେ ଖାନ ସାରଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରିବ। ଯଦିଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୋଲିସ ତାଙ୍କୁ ଗିରଫ କରିପାରି ନଥିଲା।