Latest Odisha News

BREAKING NEWS

BrahMos deal: ସବୁଠୁ ବଡ ମୁସଲିମ୍ ଦେଶ କିଣୁଛି “ବ୍ରହ୍ମୋସ୍”, ପାକିସ୍ତାନର ବଢିଲା ଚିନ୍ତା!

ନୂଆଦିଲ୍ଲୀ: ଭାରତ ପାଇଁ ବଡ ସୁବର୍ଣ୍ଣ ସୁଯୋଗ

ବଢିଲା ପାକିସ୍ତାନର ଚିନ୍ତା!

ଭାରତୀୟ ପ୍ରତିରକ୍ଷା ରପ୍ତାନି କ୍ଷେତ୍ରକୁ ମିଳିପାରେ ଆଉ ଏକ ବଡ଼ ସଫଳତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଇଣ୍ଡୋନେସିଆ ଗସ୍ତ ସମୟରେ ୨,୫୦୦ କୋଟି ଟଙ୍କା (ପ୍ରାୟ ୩୦୦ ମିଲିୟନ ଡଲାର) ମୂଲ୍ୟର ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ଚୁକ୍ତି ଚୂଡ଼ାନ୍ତ ହୋଇପାରେ। ଏହି ଚୁକ୍ତି ଭାରତର ପ୍ରତିରକ୍ଷା ରପ୍ତାନି କ୍ଷେତ୍ର ପାଇଁ ଏକ ମାଇଲ୍‌ଷ୍ଟୋନ୍ ହେବା ସହିତ Data Patterns (India) Limited ଭଳି କମ୍ପାନୀଙ୍କୁ ବଡ଼ ଲାଭ ଦେଇପାରେ। ବ୍ରହ୍ମୋସ୍ କାର୍ଯ୍ୟକ୍ରମରେ Data Patterns ଏକ ପ୍ରମୁଖ ସହଯୋଗୀ କମ୍ପାନୀ। କମ୍ପାନୀ ମିସାଇଲ୍‌ର Fire Control System (FCS) ଏବଂ ଇଲେକ୍ଟ୍ରୋନିକ୍ Seekers ଯୋଗାଇଥାଏ। ଏହି ଦୁଇଟି ଉପକରଣ ମିସାଇଲ୍‌ର ଟାର୍ଗେଟ୍ ଚିହ୍ନଟ ଓ ନିର୍ଦ୍ଦେଶନାରେ ମୁଖ୍ୟ ଭୂମିକା ନେଇଥାଏ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ଦ୍ୱିତୀୟ ସପ୍ତାହରେ ଜକାର୍ତ୍ତା ଗସ୍ତ କରିବାକୁ ଯାଉଥିବା ବେଳେ ଏହି ଗସ୍ତ ସମୟରେ ହିଁ ମେଗା ଚୁକ୍ତି ଉପରେ ଚୂଡ଼ାନ୍ତ ମୋହର ବାଜିବ । ପ୍ରଧାନମନ୍ତ୍ରୀଙ୍କ ଏହି ତୃତୀୟ ଇଣ୍ଡୋନେସିଆ ଗସ୍ତର ସବୁଠାରୁ ଶୀର୍ଷ ଏଜେଣ୍ଡା ରହିଛି ବ୍ରହ୍ମୋସ ମିସାଇଲ୍ ଡିଲ୍ । ଦକ୍ଷିଣ-ପୂର୍ବ ଏସିଆର ସବୁଠାରୁ ବଡ଼ ଦେଶ ଇଣ୍ଡୋନେସିଆ, ଭାରତର ବ୍ରହ୍ମୋସ ମିସାଇଲ୍ କିଣିବାରେ ଏହି ଅଞ୍ଚଳର ତୃତୀୟ ଦେଶ ହେବାକୁ ଯାଉଛି । ଏହା ପୂର୍ବରୁ ଫିଲିପାଇନ୍ସ ଏବଂ ଭିଏତନାମ ସହ ଭାରତ ଏହି ଚୁକ୍ତି ସରିଛି । ତେବେ ଇଣ୍ଡୋନେସିଆ ଭଳି ଏକ ପ୍ରମୁଖ ମୁସଲିମ୍ ରାଷ୍ଟ୍ର ଭାରତ ସହ ଏଭଳି ପ୍ରତିରକ୍ଷା ଚୁକ୍ତି କରିବା ପାକିସ୍ତାନକୁ ବଡ ଚିନ୍ତାରେ ପକାଇବ ।

ତେବେ ଖାଲି ଯେ ପାକିସ୍ତାନ ତାହା ନୁହେଁ, ଇଣ୍ଡୋନେସିଆ ସହ ଏହି ଡିଲ୍ ଚୀନକୁ ବି ଶକ୍ତ ଆଘାତ । କାରଣ ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ର ଦାଦାଗିରି ଏବଂ ବିସ୍ତାରବାଦୀ ନୀତି ସେହି ଅଞ୍ଚଳର ସମସ୍ତ ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଚୀନ୍‌ର ଏହି ଆକ୍ରମଣାତ୍ମକ ମନୋଭାବର ମୁକାବିଲା କରିବା ପାଇଁ ପ୍ରଥମେ ଫିଲିପାଇନ୍ସ ଏବଂ ଭିଏତନାମ ଭାରତଠାରୁ ବ୍ରହ୍ମୋସ କିଣିବାକୁ ଚୁକ୍ତି କରିଥିଲେ ଏବଂ ଏବେ ସେହି ଦଳରେ ଇଣ୍ଡୋନେସିଆ ସାମିଲ ହେବାକୁ ଯାଉଛି । ବ୍ରହ୍ମୋସ ସୁପରସୋନିକ୍ ଆଣ୍ଟି-ସିପ୍ ମିସାଇଲ୍ ମୁତୟନ କରି ଇଣ୍ଡୋନେସିଆ ବିବାଦୀୟ ଦକ୍ଷିଣ ଚୀନ୍ ସାଗର ଏବଂ ନଟୁନା ଦ୍ୱୀପପୁଞ୍ଜ ଅଞ୍ଚଳରେ ନିଜର ସାମୁଦ୍ରିକ ସୀମାକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଛି । ଇଣ୍ଡୋନେସିଆ ଭାରତ ଏବଂ ରୁଷିଆର ମିଳିତ ସହଯୋଗରେ ନିର୍ମିତ ଏହି ସୁପରସୋନିକ୍ ବ୍ରହ୍ମୋସ ମିସାଇଲ୍ କିଣିବା ଚୀନ୍ ପାଇଁ ଇଣ୍ଡୋନେସିଆର ଏକ ବଡ଼ ଦ୍ୱିପାକ୍ଷିକ ଚେତାବନୀ ବୋଲି ରଣନୀତିଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ଅପରପକ୍ଷରେ ଫିଲିପାଇନ୍ସ ପରେ ଇଣ୍ଡୋନେସିଆ ସହ ଏହି ଚୁକ୍ତି ଦକ୍ଷିଣ-ପୂର୍ବ ଏସିଆରେ ଭାରତୀୟ ପ୍ରତିରକ୍ଷା ସାମଗ୍ରୀର ବୃଦ୍ଧିଶୀଳ ଚାହିଦାକୁ ଦର୍ଶାଉଛି। ଏହା ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ବିଶ୍ୱ ମଞ୍ଚରେ ନୂଆ ପରିଚୟ ଦେଇପାରେ। ୨୦୨୫ ସୁଦ୍ଧା ୫ ବିଲିୟନ ଡଲାର ପ୍ରତିରକ୍ଷା ରପ୍ତାନି ଲକ୍ଷ୍ୟ ନେଇ ଆଗକୁ ବଢ଼ୁଥିବା ଭାରତ ପାଇଁ ଏହି ବ୍ରହ୍ମୋସ୍ ଚୁକ୍ତି ଏକ ବଡ଼ ସଫଳତା ହୋଇପାରେ। ଏହା କେବଳ ଏକ ଅସ୍ତ୍ର ବିକ୍ରି ନୁହେଁ, ବରଂ ବିଶ୍ୱ ବଜାରରେ ଭାରତୀୟ ପ୍ରଯୁକ୍ତି ଓ ଇଞ୍ଜିନିୟରିଂ କ୍ଷମତାକୁ ବଡ ସ୍ୱୀକୃତି।

Leave A Reply

Your email address will not be published.