Latest Odisha News

BREAKING NEWS

ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଉଡ଼ା ଖବର ବୋଲି କହିଲେ ବଦ୍ରି ପାତ୍ର

ଭୁବନେଶ୍ୱର: ନିର୍ବାଚନରେ ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଭି କେ ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ଆର କାର୍ତ୍ତିକେୟନ ଖୁବଶୀଘ୍ର ବିଜୁ ଜନତା ଦଳରେ ଯୋଗ ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଏହି ଚର୍ଚ୍ଚାକୁ ଉଡା ଖବର ବୋଲି କହିଛନ୍ତି ବଦ୍ରି ପାତ୍ର। ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଉଡ଼ା ଖବର ହୋଇପାରେ ବୋଲି କହିଲେ ବଦ୍ରି ପାତ୍ର।

ସେ କହିଛନ୍ତି, ‘ପାଣ୍ଡିଆନଙ୍କୁ ନେଇ କେଉଁ କର୍ମୀ ଉତ୍ସାହିତ ଅଛନ୍ତି? କିଏ ଜଣେ ଅଧେ କହିଦେଲେ ସମ୍ଭାବନା ବୋଲି କୁହାଯାଇ ପାରିବ ନାହିଁ। ଦେବାଶିଷ ସାମନ୍ତରାୟ କହିଛନ୍ତି ବିପର୍ଯ୍ୟୟ ପାଇଁ ପାଣ୍ଡିଆନ୍ ଦାୟୀ। ମୁଁ ବି ବହୁ ଆଗରୁ ଏହା କହିସାରିଛି। ସଭାପତିଙ୍କ ଉପରେ ନିର୍ଭର କରେ ସେ କେମିତି ନିଷ୍ପତ୍ତି ନେବେ।’ ସୂଚନା ଥାଉକି ଗତକାଲି ମନ୍ମଥ ରାଉତରାୟ କହିଥିଲେ ସୁଜାତା ଶତ ପ୍ରତିଶତ ବିଜେଡି ଆସୁଛନ୍ତି। ଯାହାକୁ ନେଇ ରାଜନୀତି ଚର୍ଚ୍ଚା ଜୋର ଧରିଛି।

ନିକଟରେ ହୋଇଥିବା ନିର୍ବାଚନ ପରାଜୟ ପରେ ଅନେକ ନେତା ଦଳ ଛାଡୁଥିବା ବେଳେ ବିଜେଡି ଏବେ ନବୀନ ପଟ୍ଟନାୟକଙ୍କ ସହ ଜଣେ ଶକ୍ତିଶାଳୀ ନେତାଙ୍କ ସନ୍ଧାନରେ ଅଛି। ଦଳ ଭିତରେ ସୁଜାତାଙ୍କ ପ୍ରବେଶ ସମ୍ଭାବନାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ମନ୍ମଥ ରାଉତରାୟ ଏବଂ ସୁଭାଷ ସିଂହଙ୍କ ଭଳି ବରିଷ୍ଠ ନେତାମାନେ ଏହି ପଦକ୍ଷେପକୁ ଖୋଲାଖୋଲି ସମର୍ଥନ ଜଣାଇଛନ୍ତି। ସେମାନଙ୍କ ମତରେ ସୁଜାତାଙ୍କ ବିଶାଳ ପ୍ରଶାସନିକ ଅଭିଜ୍ଞତା ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବିଶେଷ କରି ମିଶନ ଶକ୍ତି ଏବଂ ମମତା ଯୋଜନା ଭଳି ସଫଳ କାର୍ଯ୍ୟକ୍ରମରେ ତାଙ୍କର ଅବଦାନ ଯୋଗୁଁ ସେ ମହିଳା ଭୋଟବ୍ୟାଙ୍କକୁ ଆହୁରି ମଜବୁତ କରିବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.