ଭୁବନେଶ୍ବର: ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।ମନୋନୀତ ଜିଲ୍ଲାଗୁଡ଼ିକରେ ପୋଲିସ ୟୁନିଟ୍ଗୁଡ଼ିକର କାର୍ଯ୍ୟ ତଦାରଖ କରିବା ପାଇଁ ବରିଷ୍ଠ ଆଇପିଏସ୍ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।
ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜି) ଏବଂ ପୋଲିସ ମହାନିରିକ୍ଷକ (ଆଇଜି) ନ୍ୟସ୍ତ ଜିଲ୍ଲାଗୁଡ଼ିକ ଗସ୍ତ କରିବେ। ପୋଲିସିଂ ମାନଦଣ୍ଡର ମୂଲ୍ୟାଙ୍କନ କରିବେ ଏବଂ ପୋଲିସ ଷ୍ଟେସନ୍ରେ ରିପୋର୍ଟ ହୋଇଥିବା ଥାର୍ଡ-ଡିଗ୍ରୀ ପଦ୍ଧତି କିମ୍ବା ହାଜତଗତ ଅସଦାଚରଣ ଅଭିଯୋଗର ତଦନ୍ତ କରିବେ। ଅଧିକାରୀମାନଙ୍କୁ ଯାଞ୍ଚର ୧୫ ଦିନ ମଧ୍ୟରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିକଟରେ ବିସ୍ତୃତ ସମୀକ୍ଷା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍ପେଶାଲ ଅପରେଶନ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ା, କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ, ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂହପୁର , ରେଳବାଇ ଏଡିଜି ଅରୁଣ ବୋଥ୍ରାଙ୍କୁ ଅନଗୋଳ, ଆଇନ ଓ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାରଙ୍କୁ ସମ୍ବଲପୁର , ଏଡିଜି ରାଜେଶ କୁମାରଙ୍କୁ ନୟାଗଡ଼, ଏଡିଜି ପ୍ରତୀକ ମହାନ୍ତିଙ୍କୁ ଯାଜପୁର, ଏଡିଜି ଯତୀନ୍ଦ୍ର କୋଏଲଙ୍କୁ କଳାହାଣ୍ଡି, ଏଡିଜି ଏସ. ସାଇନିଙ୍କୁ ବଲାଙ୍ଗୀର , ଆଇଜି ଏସ.ପ୍ରବୀଣ କୁମାରଙ୍କୁ କନ୍ଧମାଳ , ଆଇଜି ଦୀପକ କୁମାରଙ୍କୁ ମାଲକାନଗିରି, ଅନୁପ ସାହୁ ପୁରୀ, ଅବିନାଶ କୁମାର ମୟୂରଭଞ୍ଜ ଓ ସାର୍ଥକ ଷଡ଼ଙ୍ଗୀ କେନ୍ଦ୍ରାପଡ଼ା, ଆଇଜି ଗଜଭିୟେ ସତୀଶ କୁମାର ଈଶ୍ୱରଦାସଙ୍କୁ ଢେଙ୍କାନାଳର ଦାୟିତ୍ବ ଦିଆଯାଇଛି।