ଗୌହାଟି: ତୃଣମୂଳ କଂଗ୍ରେସ ଅର୍ଥାତ୍ ଟିଏମସିରେ ଆଭ୍ୟନ୍ତରୀଣ ବିଦ୍ରୋହ ତୀବ୍ର ହେବାରେ ଲାଗିଛି। ଦଳକୁ ପୁଣି ଏକ ବଡ଼ ଧରଣର ଝଟକା ଦେଇ ରାଜ୍ୟସଭା ସାଂସଦ ସୁସ୍ମିତା ଦେବ ବୁଧବାର ଦିନ ଉଭୟ ଦଳ ଏବଂ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ପରାଜୟ ପରେ ଦଳ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ କାରଣରୁ ସେ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ସେହିପରି ନୂଆଦିଲ୍ଲୀରେ ସେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଭେଟିବା ପରେ ଆଗାମୀ ଦିନରେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।
ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସୁସ୍ମିତା ଦେବ ତାଙ୍କର ସଦସ୍ୟତା ତୁରନ୍ତ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏହା ସହିତ ନିଜର କାର୍ଯ୍ୟକାଳ ମଧ୍ୟରେ ମିଳିଥିବା ସହଯୋଗ ପାଇଁ ସେ ଉପାଧ୍ୟକ୍ଷ ଏବଂ ସଚିବାଳୟର ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୁସ୍ମିତା ହେଉଛନ୍ତି କଂଗ୍ରେସର ପ୍ରତିଷ୍ଠିତ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ସନ୍ତୋଷ ମୋହନ ଦେବଙ୍କ ଝିଅ। ସେ ପୂର୍ବରୁ କଂଗ୍ରେସ ଛାଡ଼ି ୨୦୨୧ ମସିହାରେ ଟିଏମସିରେ ଯୋଗ ଦେଇଥିଲେ।
ଦଳ ଛାଡ଼ିବା ପରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସୁସ୍ମିତା କହିଛନ୍ତି ଯେ ଏହି ନିଷ୍ପତ୍ତି ପଛରେ ଏକ ଦୀର୍ଘ କାହାଣୀ ରହିଛି ଏବଂ ରାଜନୀତିରେ ସବୁ କଥା ପ୍ରକାଶ କରିବା ଜରୁରୀ ନୁହେଁ। ସେ ଦୁଇଟି ଡଙ୍ଗାରେ ଗୋଡ଼ ରଖି ଚାଲିବାକୁ ଚାହାଁନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ସେ କେବେ ମଧ୍ୟ ଗୋଟିଏ ଦଳରେ ରହି ଅନ୍ୟ ଦଳ ପାଇଁ କାମ କରିନାହାଁନ୍ତି। ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି ବୋଲ ପ୍ରକାଶ କରିବା ସହ ଦଳର ମୁଖ୍ୟ ମମତା ବାନାର୍ଜୀଙ୍କ ସମ୍ପର୍କରେ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି।
ଟିଏମସି ପାଇଁ ଚଳିତ ସପ୍ତାହରେ ଏହା ଦ୍ୱିତୀୟ ବଡ଼ ଝଟକା। ଏହା ପୂର୍ବରୁ ଗତ ଜୁନ ୮ ତାରିଖରେ ରାଜ୍ୟସଭାରେ ଦଳର ମୁଖ୍ୟ ସଚେତକ ଥିବା ସୁଖେନ୍ଦୁ ଶେଖର ରୟ ମଧ୍ୟ ସାଂସଦ ପଦ ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ସେ ନିଜ ଇସ୍ତଫା ପତ୍ରରେ ରାଜ୍ୟରେ ଚାଲିଥିବା ଅରାଜକତା ଏବଂ ଦଳର ବିପୁଳ ପରାଜୟକୁ ନେଇ ମମତା ବାନାର୍ଜୀଙ୍କ ନେତୃତ୍ୱକୁ ତୀବ୍ର ସମାଲୋଚନା କରିଥିଲେ।
ଏହି ଦୁଇ ଜଣ ପ୍ରମୁଖ ନେତାଙ୍କ ଇସ୍ତଫା ପରେ ଟିଏମସିରେ ଏକ ବଡ଼ ଧରଣର ବିଭାଜନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଦଳର ପ୍ରାୟ ୨୦ ଜଣ ଲୋକସଭା ସାଂସଦ ମଧ୍ୟ ନେତୃତ୍ୱ ବିରୋଧରେ ବିଦ୍ରୋହ କରିଛନ୍ତି। ବିଦ୍ରୋହୀ ସାଂସଦ କାକୋଲି ଘୋଷ ଦସ୍ତିଦାର ନିଶ୍ଚିତ କରିଛନ୍ତି ଯେ ୨୦ ଜଣ ସାଂସଦଙ୍କ ଏକ ଗୋଷ୍ଠୀ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ସଂସଦରେ ସେମାନଙ୍କ ପାଇଁ ପୃଥକ ଆସନ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।
ପଶ୍ଚିମବଙ୍ଗର ବିକାଶ ପାଇଁ ଏହି ଗୋଷ୍ଠୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ସାଂସଦମାନେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିବା ପରେ ଏହି ସମଗ୍ର ଗୋଷ୍ଠୀ ଏନଡିଏରେ ସାମିଲ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି।