Latest Odisha News

BREAKING NEWS

କିମ୍‌ସରେ ସଫଳ କର୍ନିଆ ପ୍ରତିରୋପଣ

ଭୁବନେଶ୍ୱର: କିମ୍‌ସରେ ସଫଳତାର ସହ ଏକ କର୍ନିଆ ପ୍ରତିରୋପଣ କରାଯାଇଛି। ପ୍ରଥମ ଥର ଲାଗି କିମ୍‍ସରେ ଏଭଳି ପ୍ରତିରୋପଣ ସଫଳତାର ସହ କରାଯାଇଛି। ଆଖିରେ ସଂକ୍ରମଣ ଯୋଗୁଁ ଗତ ତିନି ବର୍ଷ ଧରି ଏକପ୍ରକାର ଡାହାଣ ପଟ ଦୃଷ୍ଟିଶକ୍ତି ହରାଇଥିବା ଜନୈକ ୩୭ ବର୍ଷୀୟ ରୋଗୀଙ୍କଠାରେ ଏହି ପ୍ରତିରୋପଣ କରାଯାଇଛି।

କିମ୍‍ସ ଚକ୍ଷୁ ବିଶେଷଜ୍ଞ ଡା. ଅକ୍ଷିତ ଗୁପ୍ତାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଏହି ଅସ୍ତ୍ରୋପଚାର କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିବା ଏହି ଅସ୍ତ୍ରୋପଚାରକୁ ସ୍ଥାନୀୟ ନିଶ୍ଚେତକ ପ୍ରୟୋଗ କରି କରାଯାଇଥିଲା।

ଡା. ଗୁପ୍ତାଙ୍କ ସୂଚନା ଅନୁଯାୟୀ, ପ୍ରାୟ ତିନି ବର୍ଷ ପୂର୍ବେ ଆଖିରେ ସଂକ୍ରମଣ ହେବାରୁ ରୋଗୀ ଡାହାଣ ଆଖିର ଦୃଷ୍ଟିଶକ୍ତି ପ୍ରାୟ ହରାଇଥିଲେ। ଏହି ପ୍ରଥମ କର୍ନିଆ ପ୍ରତିରୋପଣର ସଫଳତା କିମ୍‌ସରେ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଗତ ସପ୍ତାହରେ କିମ୍‌ସକୁ କର୍ନିଆ ପ୍ରତିରୋପଣ ପାଇଁ ସରକାରୀ ଅନୁମତି ମିଳିଥିଲା। ଏହି ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ବିଶେଷଜ୍ଞ ଓ ଚିକିତ୍ସା ସୁବିଧା ଥିବା ଓଡ଼ିଶାର ହାତଗଣତି ଡାକ୍ତରଖାନା ମଧ୍ୟରେ କିମ୍‌ସ ଅନ୍ୟତମ ବୋଲି ବୋଲି ଡା ଗୁପ୍ତା କହିଛନ୍ତି।

ଭାରତରେ ପ୍ରାୟ ୧୦ ଲକ୍ଷ ଲୋକଙ୍କର କର୍ନିଆ ପ୍ରତିରୋପଣ ଆବଶ୍ୟକ ଥିବା ବେଳେ ଆବଶ୍ୟକତା ତୁଳନାରେ ଦାନରେ ମିଳୁଥିବା କର୍ନିଆର ସଂଖ୍ୟା ଯଥେଷ୍ଟ କମ୍। ନଷ୍ଟ ବା ରୋଗାକ୍ରାନ୍ତ କର୍ନିଆ ଯୋଗୁଁ ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତିଙ୍କ ଦୃଷ୍ଟି ଫେରାଇ ଆଣିବାରେ କର୍ନିଆ ଦାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ତେଣୁ ଚକ୍ଷୁଦାନ ସଂପର୍କରେ ଜନସଚେତନତା ବୃଦ୍ଧି ସହ ଅଧିକରୁ ଅଧିକ ଲୋକ ଏଥିପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି।

ଏହି ଅସ୍ତ୍ରୋପଚାରରେ ଡା. ଅକ୍ଷିତ ଗୁପ୍ତା, ଡା. ମାତୁଲି ଦାସ ଓ ଡା. ସୁଭାଙ୍ଗୀ ସାହୁଙ୍କ ସମେତ ଲୋଚନା ତ୍ରିପାଠୀ ଓ ଶ୍ୟାମଳୀ ରାଉତରାୟ ପ୍ରମୁଖ ସାମିଲ ଥିଲେ।

ଅସ୍ତ୍ରୋପଚାର ପରେ ରୋଗୀଙ୍କ ଦୃଷ୍ଟିଶକ୍ତିରେ ଉଲ୍ଲେଖନୀୟ ସୁଧାର ଆସିଥିବା ଡା. ସୁଭାଙ୍ଗୀ ସାହୁ ସୂଚନା ଦେଇଛନ୍ତି। ତେବେ ଦୃଷ୍ଟିର ସ୍ପଷ୍ଟତା ଆହୁରି ବଢ଼ିବା ପାଇଁ ଦୁଇରୁ ତିନି ସପ୍ତାହ ସମୟ ଲାଗିପାରେ । ଆଗାମୀ କିଛି ମାସ ମଧ୍ୟରେ ଦୃଷ୍ଟିଶକ୍ତିରେ ଆହୁରି ଉନ୍ନତି ହେବା ଆଶା କରାଯାଉଛି।

ଏପଟେ ସଫଳ ଅସ୍ତ୍ରୋପଚାରରେ ସନ୍ତୋଷ ବ୍ୟକ୍ତକରି ରୋଗୀ ଜଣକ ତାଙ୍କୁ ଦୃଷ୍ଟିଶକ୍ତି ଫେରାଇବାରେ ସହାୟତା କରିଥିବା କର୍ନିଆ ଦାତାଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇଛନ୍ତି। ଏହି ସଫଳତାରେ କିଟ୍‌, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମ୍ପୃକ୍ତ ଡାକ୍ତରୀ ଦଳକୁ ପ୍ରଶଂସା ସହ ରୋଗୀଙ୍କ ଆରୋଗ୍ୟ କାମନା କରିଛନ୍ତି।

 

 

Leave A Reply

Your email address will not be published.