Latest Odisha News

BREAKING NEWS

ପାଣିରୁ ଫ୍ଲୋରାଇଡ ଦୂର କରିବ ପଣସ ଚୋପା, ରାଉରକେଲା NIT ଟିମ୍‌ଙ୍କ ନୂଆ ଗବେଷଣା

ରାଉରକେଲା: ପାଣିରୁ ୯୦ ପ୍ରତିଶତରୁ ଅଧିକ ଫ୍ଲୋରାଇଡ ଅପସାରଣ ପାଇଁ ରାଉରକେଲା ଏନଆଇଟିର ଏକ ଟିମ୍ ପଣସ ଚୋପା ଆଧାରିତ ଏକ ଟେକନୋଲୋଜୀ ବିକଶିତ କରିଛନ୍ତି । ପେଟେଂଟ ହୋଇଥିବା ପ୍ରଯୁକ୍ତିବିଦ୍ୟା କୃଷି ଆବର୍ଜନାକୁ ଏକ କମ୍ ମୂଲ୍ୟର ଜଳ ବିଶୋଧକରେ ପରିଣତ କରେ । ଗବେଷକ ମାନେ ବାସ୍ତବ-ବିଶ୍ୱ ପ୍ରୟୋଗ ପାଇଁ ପ୍ରୋଟୋଟାଇପ୍ ବିକାଶ ଯୋଜନା କରୁଛନ୍ତି । ସୁଲଭ ମୂଲ୍ୟରେ ପାନୀୟ ଜଳ ବିଶୋଧନ ଦିଗରେ ଏକ ଆଶାଜନକ ପଦକ୍ଷେପ ସୂରୂପ ନାସନାଲ ଇଷ୍ଟିଚ୍ୟୁଟ ଅଫ ଟେକନୋଲୋଜୀ ରାଉରକେଲାର ଗବେଷକମାନେ ପଣସର ଫିଙ୍ଗାଯାଉଥିବା ଚୋପାରୁ ଏକ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ଏହି ସାମଗ୍ରୀ ପରୀକ୍ଷାଗାର ପରିବେଶରେ ପ୍ରାୟ ୧୦ମିନିଟ୍ ମଧ୍ୟରେ ଦୂଷିତ ପାଣିରୁ ୯୦ ପ୍ରତିଶତରୁ ଅଧିକ ଫ୍ଲୋରାଇଡ ଦୂର କରିବାରେ ସକ୍ଷମ । ଏହି ଇନଭେନସନରେ ପଣସ ଚୋପାରୁ ମିଳୁଥିବା ସକ୍ରୀୟ କାର୍ବନ ବ୍ୟବହାର ହୋଇଛି । ଏହାକୁ ଜିରକୋନିୟମ ସହ ସଂଶୋଧିତ କରି ଫ୍ଲୋରାଇଡ ଧରିବା କ୍ଷମତା ବୃଦ୍ଧି କରାଯାଇଛି । ଯାହା ପାଣି ଚିକିତ୍ସା ସମସ୍ୟାର ସମାଧାନ କରିବ । ଯେଉଁଠି ଭୂତଳ ଜଳ ପ୍ରଦୂଷଣ ଚିନ୍ତାର ବିଷୟ ସେଠି ଏପରି ଏକ ପ୍ରୟାସ ବେଶ ଫଳପ୍ରଦ ହୋଇପାରିବ ବୋଲି ଆଶା ସଂଚାର ହୋଇଛି ।

ପାନୀୟ ଜଳରେ ଅତ୍ୟଧିକ ଫ୍ଲୋରାଇଡ ଦାନ୍ତ ଓ କଙ୍କାଳ ଫ୍ଲୋରୋସିସ ସୃଷ୍ଟି କରେ । ଯାହା ପିଲା ଓ ବୟସ୍କଙ୍କୁ ପ୍ରଭାବିତ କରେ । ଭାରତର ବିଭିନ୍ନ ସ୍ଥାନରେ ଭୂତଳ ଜଳରେ ଫ୍ଲୋରାଇଡ ପ୍ରଦୂଷଣ ରିପୋର୍ଟ ହେବା ସହ ସୁଲଭ ଓ ସ୍ଥାୟୀ ଚିକିତ୍ସା ପଦ୍ଧତିର ବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ପ୍ରାଥମିକତା ପାଲଟିଛି । ଏନଆଇଟି ରାଉରକେଲାର ଏକ ଗବେଷକ ଦଳ ପଣସର ଫୋପାଡି ଦିଆଯାଉଥିବା ଚୋପାରୁ ଆକ୍ଟିଭେଟେଡ୍ କାର୍ବନ ପ୍ରସ୍ତୁତ କରିଥିଲେ । ଫ୍ଲୋରାଇଡ ଦୂର କରିବା କ୍ଷମତା ବୃଦ୍ଧି ପାଇଁ ଜିରକୋନିୟମ ମିଶାଇ ପରୀକ୍ଷଣ ପରେ ୧୦ ମିନିଟ ମଧ୍ୟରେ ୯୦ପ୍ରତିଶତରୁ ଅଧିକ ଫ୍ଲୋରାଇଡ ଦୂର କରିଛି ବୋଲି ଏନଆଇଟି ଇଂଜିନିୟରିଂ ବିଭାଗ ପ୍ରଫେସର ସୁଶ୍ମିତା ମିଶ୍ର କହିଛନ୍ତି । ଏହି ଗବେଷଣା ପ୍ରଫେସର ମିଶ୍ର ଓ ଡକ୍ଟର ପ୍ରତିମା ମିଂଜ୍‌ଙ୍କ ତତ୍ତ୍ୱାବଧାନରେ କରାଯାଇଛି । ୨୫ ଅଗଷ୍ଟ ୨୦୨୫ରେ ଏହି ଗବେଷଣା ପାଇଁ ଆବେଦନ କରିଥିଲେ ଦଳ । ପ୍ରତି ଲିଟର ପିଛା ପ୍ରାୟ ୧-୫ ମିଲିଗ୍ରାମ ଫ୍ଲୋରାଇଡ ମାତ୍ରା ନେଇ କରାଯାଇଥିବା ପରୀକ୍ଷାଗାର ପରୀକ୍ଷଣରେ ଏହି ସାମଗ୍ରୀ ୯୦ପ୍ରତିଶତରୁ ଅଧିକ ଫ୍ଲୋରାଇଡ ଅପସାରଣ ଦକ୍ଷତା ପ୍ରଦର୍ଶନ କରିଥିଲା । ୧୦-୨୦ ମିନିଟରେ ଫଳାଫଳ ୯୭ ପ୍ରତିଶତ ଯାଏ ପହଂଚିଥିଲା । ଏହି ଗବେଷଣା ଏବେ ଟ୍ରାଏଲ ୪ରେ ପହଂଚିଛି । ଯାହାକୁ ବୈଧ ବୋଲି ଘୋଷଣା କରାଯାଇଛି । ପ୍ରତି ଗ୍ରାମ ପାଇଁ ସଂଶ୍ଲେଷଣ ମୂଲ୍ୟ ପ୍ରାୟ ୩୭ ଟଙ୍କା ଆକଳନ ହୋଇଛି । ଏଯାଏ ଏହି ଟେକନୋଲୋଜି ବ୍ୟବହାର ଉପଯୋଗୀ ହୋଇନାହିଁ । ପରେ ପରେ ପ୍ରକୃତ ଫ୍ଲୋରାଇଡ ଯୁକ୍ତ ପାଣି ବ୍ୟବହାର କରି ଟେକନୋଲୋଜୀର ପରୀକ୍ଷଣ ହେବ । ଯାହା ଖୁବ୍ ଗୁରତ୍ୱପୂର୍ଣ୍ଣ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.