Latest Odisha News

ଆଜି ପଶ୍ଚିମ ଓଡ଼ିଶା ବନ୍ଦ: ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ନେଇ ଆନ୍ଦୋଳନ ଜାରି

ଭୁବନେଶ୍ୱର/ସମ୍ବଲପୁର/ବଲାଙ୍ଗୀର: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ ବୁଧବାର ସକାଳୁ ଆରମ୍ଭ ହୋଇଛି । ପଶ୍ଚିମ ଓଡ଼ିଶାର ସମସ୍ତ ଆଇନଜୀବୀ ସଂଘ ଗୁଡ଼ିକର ମିଳିତ ଉଦ୍ୟମରେ ଏହି ବନ୍ଦ ପାଳନ ଅନୁଷ୍ଠିତ ହେଉଛି ।

ମିଳିଥିବା ସୂଚନାନୁଯାୟୀ, ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାର ସମସ୍ତ ସହର ଗୁଡ଼ିକରେ ଏହି ବନ୍ଦ ପାଳନ ଆରମ୍ଭ ହେବା ସହିତ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି । ସାରା ପଶ୍ଚିମ ଓଡ଼ିଶାରେ ଏହି ବନ୍ଦ ପାଳନକୁ ଜନସାଧାରଣ ସମର୍ଥ କରିଥିବାର ଦୃଷ୍ଟି ପରିଲକ୍ଷିତ ହୋଇଛି ।

ବନ୍ଦ ପାଳନ ହେଉଥିବା ଏହିସବୁ ଜିଲ୍ଲାମାନଙ୍କରେ ଜରୁରୀ କାଳୀନ କାର୍ଯ୍ୟାଳୟ, ଔଷଧ ଦୋକାନ ଏବଂ ଡ଼ାକ୍ତରଖାନାକୁ ଛାଡ଼ିଦେଲେ ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଦପ୍ତର ସହିତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ତେବେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ଏହି ବନ୍ଦ ପାଳନର ଆଂଶିକ ପ୍ରଭାବ ଦୃଷ୍ଟି ଗୋଚର ହୋଇଛି ।

ଆଜି ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ଯାଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଆଜି ସମସ୍ତ ରେଳପଥ ଓ ସଡ଼କପଥକୁ ବିକ୍ଷୋଭକାରୀମାନେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ରଖିଛନ୍ତି । ଏହାଦ୍ୱାରା ରାସ୍ତାରେ ଚାରିଚକିଆ ଯାନ ସମେତ ଗାଡ଼ି ମଟର ଆଦୌ ଚଳପ୍ରଚଳ ହେଉନାହିଁ ।

ଏଠାରେ ଉଲ୍ଲେଖଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଅନେକ ଦିନରୁ ଦାବି କରାଯାଇ ଆସୁଛି । ଏନେଇ ପୂର୍ବରୁ ମଧ୍ୟ ଅନେକ ଆନ୍ଦୋଳନାତ୍ମକ ପନ୍ଥା ଓକିଲ ସଂଘ ପକ୍ଷରୁ ଗ୍ରହଣ କରାଯାଇଥିଲେ ମଧ୍ୟ ଏଯାଏଁ ଦାବି ପୂରଣ ହୋଇନାହିଁ । ଗତକାଲି ସମ୍ବଲପୁର ସହରରେ ଓକିଲ ସଂଘ ପକ୍ଷରୁ ଏକ ବିରାଟ ବାଇକ୍ ର‌୍ୟାଲି ବାହାରି ଦାବି ସମ୍ପର୍କରେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

Comments are closed.