ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଆରମ୍ଭ ହୋଇଯାଇଛି । ବିଶ୍ୱକପ ଫୁଟବଲ ସହ ପ୍ରଶଂସକଙ୍କ ଭାବାବେଗ ଜଡିତ ହୋଇଥାଏ । ଅନେକ ନୂଆ ତଥ୍ୟ ସମ୍ମୁଖକୁ ମଧ୍ୟ ଆସିଥାଏ । ଆପଣମାନେ କେବେ ବିଶ୍ୱାସ କରିବେ କି ୧୯୩୦ ବିଶ୍ୱକପ ପରଠାରୁ ଆଜି ପର୍ଯ୍ୟନ୍ତ ଆମେରିକା ଓ ପାରାଗୁଏ ସାମ୍ନାସାମ୍ନି ହୋଇ ନାହାନ୍ତି । ଏହା ସମ୍ପୂର୍ଣ୍ଣ ସତ୍ୟ । ୯୬ ବର୍ଷ ପରେ ଉଭୟ ଦଳ ପ୍ରଥମ ଥର ପରସ୍ପର ବିପକ୍ଷରେ ମ୍ୟାଚ ଖେଳିବେ । ଏହି ଐତିହାସିକ ମ୍ୟାଚ ଲସ ଏଞ୍ଜେଲ୍ସ ଷ୍ଟାଡିୟମରେ ଖେଳାଯିବ । ୧୯୩୦ରେ ଖେଳାଯାଇଥିବା ମୁକାବିଲାରେ ଆମେରିକା ୩-୦ ଗୋଲରେ ପାରାଗୁଏକୁ ପରାସ୍ତ କରିଥିଲା ।
ପ୍ରଶଂସକମାନେ ଏଥର ଏହି ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚକୁ ଉପଭୋଗ କରିବା ପାଇଁ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ଆମେରିକା ବିଜୟଧାରା ବଜାୟ ରଖିବ ନା ପାରାଗୁଏ ମଧୁର ପ୍ରତିଶୋଧ ନେବ ତାହା ଉପରେ ମଧ୍ୟ ନଜର ରହିବ । ଦୁଇ ଦେଶ ମଧ୍ୟରେ ଓଭରାଲ ୯ ଆନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି । ଏଥିରେ ଆମେରିକା ୫ ଥର ଓ ପାରାଗୁଏ ୨ ଥର ବିଜୟ ହାସଲ କରିଛନ୍ତି । ୨ଟି ମ୍ୟାଚ ଡ୍ର ରହିଛି । ରେକର୍ଡ ଆମେରିକା ସପକ୍ଷରେ ଥିଲେ ମଧ୍ୟ ପାରାଗୁଏ ଟିମ ଏଥର ଜବରଦସ୍ତ ଫର୍ମରେ ରହିଛି । କ୍ୱାଲିଫାୟର୍ସ ମୁକାବିଲାରେ ଆର୍ଜେଂଟିନା ଓ ବ୍ରାଜିଲ ପରି ଟିମ ବିପକ୍ଷରେ ଭଲ ପ୍ରଦର୍ଶନ କରି ପ୍ରଭାବିତ କରିଥିଲା । ଘରୋଇ ପରିବେଶ ଆମେରିକା ସପକ୍ଷରେ ଯିବ ବୋଲି ଅନୁମାନ କରାଯାଉଛି ।