Latest Odisha News

BREAKING NEWS

ମାସକ ଭିତରେ ରାଜ୍ୟରେ ଥିବା ପ୍ରତିଷ୍ଠାନର ନାମ ସଂଶୋଧନ କରାଯିବ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ଏକ ମାସ ମଧ୍ୟରେ ରାଜ୍ୟରେ ଥିବା ପ୍ରତିଷ୍ଠାନଗୁଡ଼ିକର ନାମ ସଠିକ୍ ଭାବେ ଲେଖାଯିବ ଓ ଉଚ୍ଚାରଣ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଯେଉଁଗୁଡ଼ିକ କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନ ତାର ନାଁ ପରିବର୍ତ୍ତନ ହେବ। ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ। ଆଶା କରାଯାଉଛି ବର୍ଷକ ଭିତରେ ପରିବର୍ତ୍ତନ ହେବ। ସାର୍ଟିଫିକେଟ୍‌ ଭଳି କିଛି ପ୍ରମାଣପତ୍ର ଯାହା ପୂର୍ବରୁ ମିଳିଛି ତାହା ଅପରିବର୍ତ୍ତିତ ରହିବ। ରାଜ୍ୟର ଅନେକ ସ୍ଥାନରେ ଓଡ଼ିଆ ନାମର ଭୁଲ ବନାନ, ଅସଠିକ୍ ଇଂରାଜୀ ଲିପ୍ୟନ୍ତରଣ ଏବଂ ଉଚ୍ଚାରଣ ଜନିତ ତ୍ରୁଟି ଦେଖିବାକୁ ମିଳୁଛି। ଏହାକୁ ଦୂର କରି ନାମଗୁଡ଼ିକୁ ମୂଳ ରୂପରେ ଓ ସଠିକ୍ ଭାବେ ପ୍ରଦର୍ଶିତ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି।

ରାଜ୍ୟ ସରକାରଙ୍କ ଅଧୀନରେ ଥିବା ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ପ୍ରକ୍ରିୟା ମାସକ ଭିତରେ ଆରମ୍ଭ ହୋଇ ସମ୍ପୂର୍ଣ୍ଣ କରାଯିବ। ତେବେ ନାମ ସଂଶୋଧନ ପ୍ରକ୍ରିୟାର ପ୍ରଭାବ ପୂର୍ବରୁ ଜାରି ହୋଇଥିବା ପ୍ରମାଣପତ୍ର ଉପରେ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସାର୍ଟିଫିକେଟ୍‌, ଶିକ୍ଷାଗତ ପ୍ରମାଣପତ୍ର, ଜମି ସମ୍ବନ୍ଧୀୟ ଦଲିଲ କିମ୍ବା ଅନ୍ୟାନ୍ୟ ସରକାରୀ ପ୍ରମାଣପତ୍ର, ଯାହା ପୂର୍ବରୁ ଜାରି ହୋଇସାରିଛି, ସେଗୁଡ଼ିକ ଅପରିବର୍ତ୍ତିତ ରହିବ ଏବଂ ସେଗୁଡ଼ିକର ବୈଧତା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

ରାଜ୍ୟର ଭାଷା, ସଂସ୍କୃତି ଓ ସ୍ଥାନନାମର ସ୍ୱତନ୍ତ୍ର ପରିଚୟକୁ ଅକ୍ଷୁଣ୍ଣ ରଖିବା ସହ ଲୋକଙ୍କ ମଧ୍ୟରେ ସଠିକ୍ ଉଚ୍ଚାରଣ ଓ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.